୨୦୨୧ରେ ଏସିୟ ମୁଦ୍ରାଙ୍କ ମଧ୍ୟରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ, ଲୋକଙ୍କ ପକେଟ ଉପରେ ପକାଇଛି ପ୍ରଭାବ

ଭାରତୀୟ ମୁଦ୍ରା ହୁଏତ ଏସିୟାରେ ସବୁଠୁ ଖରାପ ପ୍ରଦର୍ଶନକାରୀ କରେନ୍ସୀ ଭାବେ ୨୦୨୧କୁ ବିଦାୟ ଦେଇପାରେ। କାରଣ ଟଙ୍କାର ମୂଲ୍ୟ ହ୍ରାସ ଏବେବି ଜାରି ରହିଛି। ଏକ ରିପୋର୍ଟ ଅନୁସାରେ ଭାରତୀୟ ମୁଦ୍ରା (ରୁପୟା) ଏସିୟ ବଜାରରେ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା କରେନ୍ସୀରେ ପରିଣତ ହୋଇଛି। ବିଦେଶୀ ନିବେଶକ ଓ ସେମାନଙ୍କ ଦ୍ୱରା ଏବେ ଚାଲିଥିବା କିଣାବିକା ଭାରତୀୟ ମୁଦ୍ରାର ପରିସ୍ଥିତିକୁ ମହାଦେଶରେ ତଳିତଳାନ୍ତ କରୁଛି।

ନିବେଶ ଫରାଇ ନେଉଛନ୍ତି ବିଦେଶୀ ନିବେଶକ
ବିକ୍ରି ବଢ଼ିବାର ଅର୍ଥ ଘରୋଇ ଶେୟାର ବଜାରରୁ ବିଦେଶୀ ନିବେଶକ ନିଜ ନିବେଶ ଉଠାଇ ନେଉଛନ୍ତି। ରିପୋର୍ଟ ଅନୁସାରେ ଆମେରିକୀୟ ଡଲାର ଅନୁସାରେ ଅକ୍ଟୋବ-ଡିସେମ୍ବର ତ୍ରୈମାସିକରେ ଭାରତୀୟ ଟଙ୍କା ୧.୯ ପ୍ରତିଶତ ଦୁର୍ବଳ ହୋଇଛି। ଡଲାର ପିଛା ଟଙ୍କା ଦର ୭୪ ରୁ ୭୬ରେ ପହଞ୍ଚିଯାଇଛି।  ଏପରିକି ପାକିସ୍ତାନୀ ରୁପେୟା ଓ ଶ୍ରୀଲଙ୍କ ରୂପୀ ଭଳି ଦକ୍ଷିଣ ଏସୀୟ ଦେଶଙ୍କ ମୁଦ୍ରାଠାରୁ  ମଧ୍ୟ ଦୁର୍ବଳ ହୋଇପଡିଛି। ସେପଟେ ଗତ ୧୨ ମାସରେ ଅଧିକାଂଶ ଏସିୟ ଦେଶଙ୍କ ମୁଦ୍ରା ଡଲାର ମୁକାବିଲାରେ ଅଭିବୃଦ୍ଧି ହାସଲ କରିଛନ୍ତି।

ନିବେଶକ ଉଠାଇ ନେଲେଣି ୪୨୦କୋଟି ଡଲାର

ରିପୋର୍ଟ ଅନୁସାରେ ବୈଶ୍ୱିକ ନିବେଶକମାନେ ଭାରତୀୟ ସେୟାର ବଜାରରୁ ଏପର୍ଯ୍ୟନ୍ତ ଅନୁନ୍ୟ ୪୨୦ କୋଟି ଡଲାର ଅର୍ଥାତ ୩୧ ହଜାର ୯୨୦ କୋଟି ଟଙ୍କା ଉଠାଇ ନେଇଛନ୍ତି। କୁହାଯାଉଛି ଏସିୟାର କୌଣସି ସେୟାର ବଜାରରୁ ବାହାର କରିନିଆଯାଇଥିବା ଏହା ସବୁଠୁ ବଡ଼ ପୁଞ୍ଜି। ଏହା ଛଡ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ମଧ୍ୟ ଭାରତୀୟ ସେୟାର ବଜାର ଉପରେ ଏବେ କ୍ରମାଗତ ଚାପ ପକାଇଛି। ଯେଉଁଥିଲାଗି ନିବେଶକଙ୍କ ଚିନ୍ତା ଏବେ ବଢି ଯାଇଛି।

ସାଧାରଣ ଲୋକଙ୍କ ବଜେଟ ଉପରେ ପଡୁଛି ପ୍ରଭାବ
ଭାରତ ତାର ଇନ୍ଧନ ଆବଶ୍ୟକତାର ୮୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ଏଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଏବେ ଲୋକଙ୍କ ବ୍ୟକ୍ତିଗତ ବଜେଟକୁ ବିଗାଡି ଦେଇଛି। ଅଧିକ ମୂଲ୍ୟରେ ଅଶୋଧିତ ତୈଳ କିଣା ଦେଶରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି। ମହଙ୍ଗା ଡିଜେଲ ପରିବହନ ଖର୍ଚ୍ଚ ବୃଦ୍ଧି କରିଛି। ବଜାରରେ ଅତ୍ୟାବଶକୀୟ ସମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଲୋକେ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏ ବାବଦ ବ୍ୟୟ ଏବେ ବଜାରରେ ସାମଗ୍ରୀ ଉପରେ ଅନୁଭୂତ ହେଉଛି।

Spread the love