ସିଙ୍ଗାପୁର ଭଳି ସହର ନିର୍ମାଣ କରିବେ ମୁକେଶ

ଦୂରସଂଚାର କ୍ଷେତ୍ରରେ ବିପ୍ଳବ ଆଣିଥିବା ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଏବେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁମ୍ବାଇ ପାଖରେ ସିଙ୍ଗାପୁର ଭଳି ଏକ ବିଶ୍ବ ସ୍ତରୀୟ ସହର ବିକଶିତ କରିବାକୁ ଯାଉଛି। ଏଥିପାଇଁ 4000 ଏକର ଜମିକୁ ଲିଜ୍ ସୂତ୍ରରେ ନିଆଯାଇଛି। ଏକ ମେଗା ସହର ଭାବେ ସେହି ସ୍ଥାନକୁ ବିକଶିତ କରାଯିବ। ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ବିମାନ ବନ୍ଦର, ଜାହଜ ଲାଗିବା ପାଇଁ ବନ୍ଦର ଏବଂ ସି’ ଲିଙ୍କ୍‌ ଭଳି ବ୍ୟବସ୍ଥା ରହିବ। ଉକ୍ତ ସହରରେ ଶହ ଶହ କଂପାନି ମଧ୍ୟ ରହିବେ। ସହର ବିକଶିତ କରିବାରେ କଂପାନି 75 ବିଲିଅନ ଡଲାର ବିନିଯୋଗ କରିବ। ଏହି ପ୍ରକଳ୍ପକୁ ମୁକେଶ ବଡ଼ ଆକାରରେ ଉପସ୍ଥାପନ କରିବେ। ଜିଓ ଜରିଆରେ ଦୂରସଂଚାର କ୍ଷେତ୍ରରେ ଯେଭଳି ପରିବର୍ତ୍ତନ ଆଣିଥିଲେ, ଏହି ପ୍ରକଳ୍ପ ମାଧ୍ୟମରେ ରିଅଲ ଇଷ୍ଟେଟ୍‌ର ଚିତ୍ରକୁ ସେ ସେଭଳି ବଦଳାଇବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଗଲାଣି। ମୁକେଶ ଯେଉଁ ସହର ନିର୍ମାଣ କରିବେ ସେଠାରେ ଘରଗୁଡ଼ିକର ମୂଲ୍ୟ ବହୁତ କମ୍ ରହିବ। କଂପାନି କେବଳ ସହରକୁ ନିର୍ମାଣ କରିବ ତାହା ନୁହେଁ, ଏହାର ଦେଖାଶୁଣା ମଧ୍ୟ କରିବ। ସେଥିପାଇଁ ରିଲାଏନ୍ସକୁ ‘ସ୍ପେସିଆଲ୍ ପ୍ଲାନିଂ ଅଥରିଟି’ ଭଳି କ୍ଷମତା ମିଳିଛି। ଏହି ପ୍ରକଳ୍ପ ଜରିଆରେ ମୁକେଶ ତାଙ୍କ ବାପା ଧୀରୁଭାଇ ଅମ୍ବାନିଙ୍କ ସ୍ବପ୍ନ ପୂରଣ କରିବେ। ଅଶି ଦଶକରେ ଧୀରୁଭାଇ ଏଭଳି ଏକ ସହର ବିକଶିତ କରିବାକୁ ସ୍ବପ୍ନ ଦେଖିଥିଲେ, କିନ୍ତୁ ତାଙ୍କର ସେହି ସ୍ବପ୍ନ ପୂରଣ ହୋଇପାରିନଥିଲା।

Spread the love