ଅସାମ୍ବିଧାନିକ ଶାସନ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ବିଜେଡି ପ୍ରବକ୍ତା ବାଉଳିଚାଉଳି ହେଉଛନ୍ତି – ମୁକେଶ ମହାଲିଙ୍ଗ୍

ଭୁବନେଶ୍ୱର, ଅଗଷ୍ଟ ୩୧ – ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ବାଉଳିଚାଉଳି ହୋଇ ପାଗଳର ପ୍ରଳାପ ଭଳି ଯେଉଁ ବାରମ୍ବାର କଥା କହୁଛନ୍ତି ତାହା ହାସ୍ୟାସ୍ପଦ । ଜଣେ ରାଜନେତା ହୋଇ ଏପରି ମନ୍ତବ୍ୟ ତାଙ୍କୁ ଶୋଭା ପାଉନାହିଁ । ଓଡ଼ିଶାରେ ଅସାମ୍ବିଧାନିକ ଶାସନ ବ୍ୟବସ୍ଥାକୁ ନେଇ ଲୋକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ନ ଦେଇ ଆମ ନେତାଙ୍କୁ ପ୍ରଶ୍ନ କରିବା ରାଜନୈତିକ ଅପରିପକ୍ୱତାର ଚରମ ନିଦର୍ଶନ ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ ।

ସେ କହିଛନ୍ତି ଦୀର୍ଘ ୨୩ ବର୍ଷ ବିଜେଡି ଶାସନରେ ଓଡ଼ିଶାର ଗା’ ଗଣ୍ଡାରେ ରାସ୍ତା ନାହିଁ । ଏବେ ବି ଗର୍ଭବତୀ ମାଆମାନେ ଖିଟିଆରେ ବୁହା ହେଉଛନ୍ତି । ବିଜେଡି ପ୍ରବକ୍ତା ଦିଲ୍ଲୀରେ ଏସିରେ ରହି ଏହି ବିଷୟରେ କହିବା ସହଜ କଥା, ବାସ୍ତବ ଚିତ୍ର କ’ଣ ତାହା ଦିବାଲୋକରେ ସ୍ପଷ୍ଟ । ଖଜୁରି ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଓଡ଼ିଶାରେ ପିଏମ ଆବାସ ଯୋଜନାରେ ମୋଦିଜୀ ପଠାଉଥିବା ଅର୍ଥ ବିଜେଡିର କର୍ମୀମାନେ ହଡପ କରୁଥିବା ଲୋକମାନେ ଅଭିଯାଗ କରିଛନ୍ତି । ବିଜେଡି ସରକାରରେ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ପଶ୍ଚିମ ଓଡ଼ିଶାରେ ଘର ନଦେବା ପାଇଁ ଷଡଯନ୍ତ୍ର କିଏ କରିଥିଲା? ଏହାର ଉତ୍ତର ସସ୍ମିତ ବାବୁଙ୍କ ପାଖରେ ଅଛି କି ବୋଲି ଶ୍ରୀ ମହାଲିଙ୍ଗ୍ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଗତ ୯ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହେଉଛି । ଏହି ପୁଞ୍ଜିନିବେଶ ଦ୍ୱାରା ବ୍ୟାପକ ରୋଜଗାର ସୃଷ୍ଟି ହୋଇଛି । ଶାସକ ଦଳର ମୁଖିଆଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ଦୀର୍ଘ ୨୩ ବର୍ଷ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି, ଏହା ସତ୍ୟ ନୁହେଁ କି ? ଯାଜପୁରର ନଗଡା ସ୍ଥିତି କଣ ?

ସସ୍ମିତ ପାତ୍ର ହତୋତ୍ସାହିତ ହୋଇଯାଇଛନ୍ତି । ବିଜେଡି ଦଳର ନେତା, ମନ୍ତ୍ରୀ ଗୁମାସ୍ତାଙ୍କ ଗସ୍ତ ପାଇଁ ଚେୟାର ଉଠାଇବା ଏବଂ ଟେଣ୍ଟ ପକାଇବା କାମରେ ଲାଗିଛନ୍ତି । ଓଡ଼ିଶାର ଗଣତନ୍ତ୍ର ଓ ଅବ୍ୟବସ୍ଥା କେଉଁ ଆଡକୁ ଗଲାଣି, ଓଡ଼ିଶାର ଲୋକମାନେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି । ଶାସକ ଦଳର ଘର କଥା ଦାଣ୍ଡରେ ଗଡିଲାଣି । ଅନେକ ବୁଦ୍ଧିଜୀବୀ ବିଜେଡି ସରକାର ଗଣତନ୍ତ୍ରକୁ ପରିହାସ କରୁଥିବା ବ୍ୟବସ୍ଥାକୁ ପ୍ରଶ୍ନ କରିଛନ୍ତି । ଚିନ୍ତାନାୟକ ନଟବର ଖୁଣ୍ଟିଆ ବାବୁ ଯେଉଁ କଥା ଲେଖିଛନ୍ତି, ସେହି ପୋଷ୍ଟରେ ଆସିଥିବା ମନ୍ତବ୍ୟକୁ ବିଜେଡି ବ୍ରବକ୍ତା ଦେଖନ୍ତୁ । ସେ ସବୁକୁ ପଢିଲା ପରେ ସେ ନିଜର ବକ୍ତବ୍ୟ ବଦଳାଇବେ । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ମହାଲିଙ୍ଗ୍ କହିଛନ୍ତି ।

Spread the love