ରାସ୍ତାରେ ଚୌକିରେ ବସି ବଂଶୀ ବଜାଇଲେ କନେଷ୍ଟବଳ; ମତୁଆଲା ଲୋକେ

ସୋସିଆଲ ମିଡିଆ…ଯେଉଁଠି ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏମିତି ବି ଥାଏ, ଯାହା ଲୋକଙ୍କ ମନକୁ ଖୁବ୍‌ ଛୁଇଁଥାଏ। ଲୋକେ ସେହି ଭିଡିଓକୁ ବାରମ୍ବାର ଦେଖିବାକୁ ପସନ୍ଦ କରି ଥାଆନ୍ତି। ଏବେ ଠିକ୍‌ ଏହିଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳଙ୍କୁ ଦେଖିବାକୁ ମିଳୁଛି। ପୋଲିସ ବର୍ଦ୍ଦିରେ ଥିବା ଏହି କନେଷ୍ଟବଳ ଜଣକ ମଝି ରାସ୍ତାରେ ଚୌକିରେ ବସି ସୁମଧୁର ସ୍ୱରରେ ବଂଶୀ ବଜାଉଛନ୍ତି। ଆଉ ତାଙ୍କର ବଂଶୀ ସ୍ୱର ଲୋକଙ୍କୁ ମତୁଆଲା କରି ଦେଇଛି। ୧୯୯୭ ମସିହାର ଫିଲ୍ମ ‘ବର୍ଡର’ର ‘ସନ୍ଦେଶେ ଆତେ ହେଁ’ ଗୀତକୁ କନେଷ୍ଟବଳ ବଂଶୀରେ ବଜାଉଛନ୍ତି।

ଭିଡିଓରେ ଆପଣ ଜଣେ ପୋଲିସ କର୍ମୀଙ୍କୁ ବଂଶୀରେ ସୁମଧୁର ସ୍ୱର ପକାଉ ଥିବାର ଦେଖି ପାରିବେ। ବଂଶୀର ସ୍ୱର ଏତେ ଶ୍ରୁତି ମଧୁର ଯେ ଜଣେ ଟ୍ରାଫିକ୍‌ ପୋଲିସ ବି ତାଙ୍କ ପାଖରେ ଛିଡ଼ା ହୋଇ ଆନନ୍ଦ ନେଉଛନ୍ତି। କେବଳ ଏତିକି ନୁହେଁ, ରାସ୍ତା ଉପରେ ଏକ ଫୋନ୍‌ ଏବଂ ବ୍ଲୁଟୁଥ୍‌ ସ୍ପୀକର ମଧ୍ୟ ରଖା ହୋଇଛି। ଭିଡିଓକୁ Wadala Matunga Sion Forum ଟ୍ଵିଟରରେ ଅପ୍‌ଲୋଡ କରିଛି। ଭିଡିଓ ଅପ୍‌ଲୋଡ କରିବା ସହିତ ଏହା କ୍ୟାପସନ ଲେଖିଛି ଯେ ‘ର‍୍ୟାକ୍‌ ମାର୍ଗ ଓ୍ଵଡାଲା େଓ୍ଵଷ୍ଟରେ ରବିବାର ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା’।

କହି ରଖୁଛୁ ଯେ ଭିଡିଓଟିକୁ ମୁମ୍ବାଇ ଓ୍ଵଡାଲାର ରଫି ଅହମଦ୍‌ କିଦ୍‌ଓ୍ଵାଇ ମାର୍ଗରେ ରେକର୍ଡ କରାଯାଇଛି। ଏବେ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି ଏବଂ ଲୋକମାନେ କନେଷ୍ଟବଳଙ୍କ ଏହି ମ୍ୟୁଜିକାଲ ପରଫର୍ମାନ୍ସକୁ ବହୁତ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ୟୁଜରମାନେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ଏହା ଦେଖି ବହୁତ ଖୁସି ଲାଗିଲା। ଏମାନେ ସମସ୍ତେ ଚାପଗ୍ରସ୍ତ ଜୀବନ ଜିଉଁଛନ୍ତି, କେବଳ ଆମକୁ ସୁରକ୍ଷିତ ରଖିବା ପାଇଁ। ବାସ୍ତବରେ, ଏମାନଙ୍କୁ ମଧ୍ୟ ଗୋଟିଏ ସମୟ ପରେ ବ୍ରେକ୍‌ ଦରକାର ପଡ଼ିଥାଏ’। ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ବଢ଼ିଆ…ବର୍ଦ୍ଦିରେ ଏହି ପରିଶ୍ରମୀ ଲୋକ ମାନଙ୍କୁ ଏମିତି କରୁଥିବାର ଦେଖି ଭଲ ଲାଗିଲା’। ସେହିପରି ତୃତୀୟ ୟୁଜର ଲେଖିଛନ୍ତି, ‘ବର୍ଦ୍ଦିରେ ପୁରୁଷ ମାନଙ୍କର ହୃଦୟ ଏବଂ ଭାବନା ରହିଥାଏ। ବଂଶୀ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କର ମଧୁର ପ୍ରତିଭା ପ୍ରସ୍ଫୁଟିତ ହୋଇଛି। ଜାରି ରଖନ୍ତୁ ଭାଇ। ଅନ୍ୟ କିଛି ପାଇଁ ଉତ୍ସାହର ସହିତ ଅପେକ୍ଷା’।

Spread the love