ନୂପୁର ଶର୍ମାଙ୍କୁ ମୁମ୍ବ୍ରା ପୋଲିସର ସମନ, ୨୨ ଜୁନରେ ହାଜର ହେବାକୁ ନିର୍ଦ୍ଦେଶ

ପୈଗମ୍ବର ମହମ୍ମଦଙ୍କ  ସମ୍ପର୍କରେ ମନ୍ତବ୍ୟ ଲାଗି ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ମୁମ୍ବ୍ରା ପୋଲିସ ମଙ୍ଗଳବାର ନୋଟିସ୍ ଜାରି କରିଛି।  ଜୁନ ୨୨ରେ ହାଜର ହୋଇ ବୟାନ ରେକର୍ଡ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି।  ମହମ୍ମଦଙ୍କ ସମ୍ପର୍କରେ ଟିପ୍ପଣୀ ଲାଗି ନୂପୁରଙ୍କ ବିରୋଧରେ ମୁମ୍ବ୍ରା, ଠାଣେ ଓ ପାଇଧୋନୀରେ ଏତଲା ରୁଜୁ ହୋଇଛି।

ଜନୈକ ଅଧିକାରୀଙ୍କ ଅନୁସାରେ ଶର୍ମାଙ୍କ ଟିପ୍ପଣୀ ପରେ ମହାରାଷ୍ଟ୍ରର ଠାଣେ ଜିଲ୍ଲା ମୁମ୍ବ୍ରା ପୋଲିସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ସେହି ଅନୁସାରେ ପୋଲିସ ଜୁନ ୨୨ ତାରିଖ ଦିନ ଶର୍ମାଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରିବାକୁ ସମନ ଜାରି କରିଛି। କିଛିଦିନ ପୂର୍ବେ ଏକ ଟେଲିଭିଜନ ବିତର୍କରେ ନୂପୁର ଶର୍ମା ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଅଋଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଏବେ ବିବାଦ ଉପୁଜିଛି।

ଏପରି ବିଦାସ୍ପଦ ବୟାନ ଲାଗି ଆଫଗାନିସ୍ତାନ, ପାକିସ୍ତାନ, ସାଉଦୀ ଆରବ, ୟୁଏଇ, କତାର, କ୍ୱେତ୍, ବାହାରିନ, ଇଣ୍ଡୋନେସିଆ ଓ ଇରାନ ସମେତ କେତେକ ଦେଶ ଓ ଇସ୍ଲାମିକ ସହଯୋଗ ସଙ୍ଗଠନ ଅଧିକାରୀକ ଭାବେ ମନ୍ତବ୍ୟର ପ୍ରତିବାଦ କରିଛନ୍ତି। ଆଉ କେତେକ ଦେଶ ମାମଲାରେ କ୍ଷମାଯାଚନା ଦାବି କରିଛନ୍ତି। ତେବେ ପ୍ରସଙ୍ଗକୁ ନେଇ ନୂପୁର ଶର୍ମାଙ୍କୁ ମିଳୁଥିବା ଧମକରେ ଦିଲ୍ଲୀ ପୋଲିସ ତାଙ୍କୁ ଏବେ ସୁରକ୍ଷା ଯୋଗାଇ ଦେଇଛନ୍ତି।

Spread the love