ପତ୍ନୀଙ୍କୁ ନିଆଁ ଲଗାଇ ହତ୍ୟା ଘଟଣା: ସ୍ବାମୀଙ୍କୁ ଆଜୀବନ

ସୁନ୍ଦରଗଡ଼: ଶନିବାର ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଏକ ଯୌତୁକ ନିର୍ଯାତନା ଓ ନିର୍ମମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ ସ୍ବାମୀ ରାଜଗାଙ୍ଗପୁର ଥାନା ଝାରବେର୍ଣ୍ଣାର କୁପନ ଓରଫ, ଉପନ ଓରଫ ରୁବିନ ପୁପୁନ କୁଜୁର (୪୨)ଙ୍କୁ ‌ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍‌ ଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି ଉଲ୍ଲେଖ କରିଛନ୍ତି କୋର୍ଟ।

୨୦୧୬ ଜାନୁଆରି ୬ ତାରିଖରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝାରବେର୍ଣ୍ଣ ଗ୍ରାମର ରୁବିନ ପୁପୁନ କୁଜୁର ‌ଯୌତୁକ ପାଇଁ ମା’ ତାରାମଣି କୁଜୁର, ଭାଇ ଗାଲେକ୍ଷୀନ କୁଜୁରଙ୍କ ସହ ମିଶି ତାଙ୍କ ପତ୍ନୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଏ ସମ୍ପର୍କରେ ଅଭିଯୁକ୍ତ ଗାଲେକ୍ଷୀନ କୁଜୁର ଝିଅର ପରିବାରକୁ ଫୋନ କଲ୍‌ କରି ଝିଅ ନିଆଁରେ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ଦେଇଥିଲା। ପରିବାର ଲୋକେ ତୁରନ୍ତ ହସ୍ପିଟାଲରେ ପହଞ୍ଚିବା ପରେ ଝିଅ ତାର ମୃତ୍ୟୁକାଳୀନ ଜମାନବନନ୍ଦୀରେ ସ୍ବାମୀ, ଶାଶୂ, ଦେଢ଼ଶୁର ଯୌତୁକ ପାଇଁ ସବୁବେଳେ ଝଗଡ଼ା କରୁଥିବା ଓ ଘଟଣାଦିନ ଖାଇବାକୁ ଦେଇ ନଥିବା ବେଳେ ତା’ ଦେହରେ ନିଆଁ ଲଗାଇ ଦେଇଥିବା ପ୍ରକାଶ କରିଥିଲେ। ୯୦ ପ୍ରତିଶତ ପୋଡ଼ି ଯାଇଥିବା ପୀଡ଼ିତା ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ତତ୍‌କାଳୀନ ଭାରପ୍ରାପ୍ତ ଥାନାଧିକାରୀ ସସ୍ମିତା ମହନ୍ତ ମାମଲାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ୨୫ ଜଣ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ଼ଯୁକ୍ତି ଓ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଭିତ୍ତି କରି ୩୦୨ ଦଫାରେ ସ୍ବାମୀଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ। ପ୍ରମାଣ ଅଭାବରୁ ମୃତାଙ୍କ ଶାଶୂ ଓ ଦେଢ଼ଶୁର ଖଲାସ କରିଥିଲେ। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ।

Spread the love