ଐତିହ୍ୟ ବିମଣ୍ଡିତ ନେହେରୁ ସଂଗ୍ରହାଳୟର ନାଁ ବଦଳିବ

ନୂଆଦିଲ୍ଲୀ: ରାଜଧାନୀର ଐତିହ୍ୟ ପରିପୂର୍ଣ୍ଣ ନେହରୁ ସଂଗ୍ରହାଳୟର ନାଁ ବଦଳି  ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବେ ପରିଚିତ ହେବ। ଏଠାରେ ଜବାହରଲାଲ ନେହେରୁଙ୍କ  ସ୍ମୃତି   ସହିତ ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଓ ଅବଦାନ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।  ଏପ୍ରିଲ ୧୪  ତାରିଖରେ ଡ଼ା.ବି ଆର ଆମ୍ବେଦକର ଜୟନ୍ତୀରେ ଏହାର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ମୋଦି ଗତକାଲି ବିଜେପି ସଂସଦୀୟ ଦଳ ବୈଠକରେ କହିଛନ୍ତି ଯେ ତାଙ୍କ ସରକାର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହ ଏହାକୁ ସାଇତି ରଖିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଅବସରରେ ମୋଦି ଦଳୀୟ ସାଂସଦଙ୍କୁ ବି.ଆର ଆମ୍ବେଦକର ସଂଗ୍ରହାଳୟ ପରିଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି। ଏହି ସଂଗ୍ରହାଳୟ ମଧ୍ୟ ଏପ୍ରିଲ ୧୪ରେ ଉଦ୍‌ଘାଟନ ହେବ। ଏପ୍ରିଲ ୬ ବିଜେପି ପ୍ରତିଷ୍ଠା ଦିବସଠାରୁ ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ସ୍ଥିର ହୋଇଥିବା ଏକାଧିକ କାର୍ଯ୍ୟକ୍ରମ ସମ୍ପର୍କରେ ମୋଦି ସାଂସଦଙ୍କୁ ସୂଚନା ଦେଇଛନ୍ତି।

Spread the love