‘ସାବାଳିକା ହୋଇଥିଲେ ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ, ହିନ୍ଦୁ ଯୁବକଙ୍କ ହାତ ଧରିବା ବେଆଇନ ନୁହେଁ’ : ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ, ୨୬|୧୨ : ସାବାଳିକା ହୋଇଥିଲେ  ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ । ଏପରି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଏହାସହ କୋର୍ଟ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ଆବେଦନକୁ ମଧ୍ୟ ସ୍ୱୀକାର କରିଛନ୍ତି । ଯୁବତୀଜଣଙ୍କ ନିଜ ପରିବାର ବିରୋଧରେ କୋର୍ଟରେ ଆବେଦନ କରିଥିଲେ । ସେ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିବା କୋର୍ଟରେ କହିଥିଲେ । ଏହାସହ ସୁରକ୍ଷା ମଧ୍ୟ ମାଗିଥିଲେ ।

କୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ,  ମୁସଲିମ ଯୁବତୀ ସାବାଳିକା ହେଲା ପରେ ନିଜ ଇଚ୍ଛାରେ ବିବାହ କରିପାରିବେ । ବାପା-ମାଆ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜଷ୍ଟିସ ହରନରେଶ ଗିଲ୍ କହିଥିଲେ ଯେ, ମୁସଲିମ ଯୁବତୀଙ୍କ ବିବାହ ମୁସଲିମ୍ ପର୍ସନାଲ ଆଇନରେ ହୋଇଥାଏ । ପ୍ରିନ୍ସିପଲ୍ସ ଅଫ୍ ମହମ୍ମଦିଆନ ଆଇନର ଅନୁଚ୍ଛେଦ ୧୯୫ ଅନୁସାରେ, ଯୁବତୀଜଣଙ୍କ ୧୭ ବର୍ଷର ହୋଇଥିବାରୁ ନିଜ ପସନ୍ଦର ଯୁବକଙ୍କୁ ବିବାହ କରିପାରିବେ । ଯେଉଁଥିରେ କୌଣସି ଅସୁବିଧା ନାହିଁ ।

ନ୍ୟାୟମୂର୍ତ୍ତି ଗିଲ୍ ଆହୁରି କହିଥିଲେ ଯେ, ଅଦାଲତ ଆଖି ବନ୍ଦ କରି ରହିପାରିବେ ନାହିଁ । ଆବେଦନକାରୀଙ୍କ ଭୟ ଦୂର କରିବା ଯଥାର୍ଥ ଅଟେ । ଯୁବତୀ ଜଣଙ୍କ ପରିବାରର ଅନିଚ୍ଛା ସତ୍ତ୍ୱେ ବିବାହ କରିବାର ଅର୍ଥ ତାଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ ।

Spread the love