ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବାଙ୍କ ବେଶ : ଶଙ୍ଖ, ଚକ୍ର ଧରି ସଜେଇ ହେବେ ମହାପ୍ରଭୁ

ପୁରୀ ୧୩।୧: ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ।  ସନ୍ଧ୍ୟା ଆଳତୀ ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଗୁରୁବାର ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ, କୁଣ୍ଡଳ ଇତ୍ୟାଦି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ଜଣାଶୁଣା।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଢ ସହ ନବାଙ୍କ ବେଶ ଅନୁଷ୍ଠିତ ହୋଇଥାଏ ।  ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ବା ଉତ୍ତରାୟଣ ଯାତ୍ରା ଅନ୍ୟତମ । ଏହା ତିନି ଦିନ ଧରି ଚାଲିଥାଏ। ନବାଙ୍କ ସହ ମହାପ୍ରଭୁଙ୍କ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ମଧ୍ୟ କରାଯାଇଥାଏ। ତୁଳସୀ ଓ ଫୁଲ ଅଳଙ୍କାରରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ବିମଣ୍ଡିତ ହେବା ସହ ରତ୍ନସିଂହସନକୁ ମଧ୍ୟ ଗେଣ୍ଡୁ ଫୁଲରେ ସୁସଜ୍ଜିତ କରାଯାଇଛି। ନବାଙ୍କ ବେଶରେ ଆୟୁଧ ଧାରଣ କରିବେ ଶ୍ରୀବିଗ୍ରହ। ଶ୍ରୀମନ୍ଦିର ଦକ୍ଷିଣ ଘରୁ ମଦନମୋହନ ରତ୍ନସିଂହାସନକୁ ବିଜେ ହେବେ। ରାତ୍ରରେ ବଡ଼ସିଂହାର ଭୋଗ ସରିବା ପରେ ଠାକୁର ରତ୍ନସିଂହାସନ ଚତୁଃପାର୍ଶ୍ବରେ ପରିକ୍ରମା କରିବେ। ଶୁକ୍ରବାର ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ମଧ୍ୟ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ପାଳିତ ହେବ।

Spread the love