ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ପୁରୀ, ୦୪। ୧୧: ପୁରୀ ସ୍ୱର୍ଗଦ୍ୱାର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ତଦାରଖ କରିଥିଲେ। ଓଡିଶା ସେତୁ ନିର୍ମାଣ ନିଗମ ଦ୍ୱାର ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଯାହା କିଛି କାର୍ଯ୍ୟ ବାକି ଅଛି ଖୁବଶୀଘ୍ର ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏବେ ସ୍ୱର୍ଗଦ୍ୱାର ରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି ।

ଶବ ଦାହ ପାଇଁ ଆସୁଥିବା ଵ୍ୟକ୍ତିଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ରେଷ୍ଟରୁମ ସହିତ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ଗୋଟିଏ ସ୍ଥାନରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି। ସେପଟେ ଲୋକ ସୁବିଧା ପାଇଁ ଶବ ବାହକ ଗାଡି ସଂଖ୍ୟା ମଧ୍ୟ ପ୍ରଶାସନ ପକ୍ଷରୁ ବୃଦ୍ଧି କରାଯାଇଛି । ଓଏମସିର ଅନୁଦାନରେ ଆଜି ଆଉ ଏକ ମହାପ୍ରୟାଣ ଗାଡିକୁ ସାମିଲ କରାଯାଇଛି। ୦୬୭୫୨୨୯୧୨୯୧ ନମ୍ବରକୁ ଯୋଗାଯୋଗ କରି ଏହି ମହାପ୍ରୟାଣ ଗାଡିର‌ ସୁବିଧା ଲୋକେ ନେଇ ପାରିବେ। ଏଥିପାଇଁ ପୁରୀ ସହରବାସୀଙ୍କୁ ୭୫୦ ଟଙ୍କା ଓ ପୁରୀ ବାହାର ଲୋକେ ୧୨୦୦ ଟଙ୍କା ଦେଇ ଏହି ଗାଡିର ସୁବିଧା ନେଇ ପାରିବେ। ଆଗାମୀ ଦିନରେ ମଧ୍ୟ ସ୍ଵର୍ଗଦ୍ୱାରରେ ଲୋକମାନେ କିଭଳି ଅଧିକ ସୁବିଧା ପାଇପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି।

Spread the love