କଂଗ୍ରେସ ଏବେ ଜାତୀୟ ନୁହେଁ, ଭାଇ-ଭଉଣୀଙ୍କ ପାର୍ଟି: ପରିବାରବାଦ ପଲିଟିକ୍ସକୁ ନେଇ ଭୁବନେଶ୍ୱରରୁ ନଡ୍ଡା ମାରିଲେ ତୀର
ଭୁବନେଶ୍ୱର ସମାବେଶରେ କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ଗଣାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେବଳ ରାଜ୍ୟ ସରକାର ନୁହେଁ ଏଥିରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଉ କଂଗ୍ରେସକୁ ଭାଇ-ଭଉଣୀଙ୍କ ପାର୍ଟି ବୋଲି ମଧ୍ୟ କହିଛନ୍ତି । ଏହି ସମାବେଶରେ ସେ ଉଦବୋଧନ ଦେଇ କହିଛନ୍ତି, ଆମ ସ୍ଥିତି ଏବେ କଣ? ଆମେ କାହା ସହ ଲଢୁଛୁ? ଭାରତୀୟ ଜାତୀୟ କଂଗ୍ରେସ, ନା ଏହା ଜାତୀୟ ହୋଇ ଅଛି, ନା ଭାରତୀୟ ହୋଇ ରହିଛି, ଏହି ପାର୍ଟି ଏବେ ଭାଇ-ଭଉଣୀଙ୍କ ପାର୍ଟି । ବାକି ସବୁ ତାଳି ମାରୁଥାଅ । ହେଲେ ଆମେ ଏବେ ଲଢୁଛୁ ପାରିବାରିକ ପାର୍ଟି ଗୁଡିକ ସହ । ପାରିବାରିକ ପାର୍ଟିଗୁଡିକର ଉଦାହରଣ ଦେଇ ସେ କାଶ୍ମୀରର ଫାରୁକ ଅବଦୁହ୍ଲା, ଉମରଅବଦୁହ୍ଲା, ହରିୟାଣାର ଓମ ପ୍ରକାଶ ଚୌଟାଲା, ବିହାରର ଆରଜେଡି, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାରେ ବିଜେଡି କଥା କହି ଏହି ଆଞ୍ଚଳିକ ଦଳଗୁଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏହାସହ କହିଛନ୍ତି ବିଜେପି କେବଳ ଏକମାତ୍ର ଦଳ ଯିଏ କି ବିଚାରଧାରାରେ ଚାଲିଛି, ବାକି ସବୁ ପରିବାରବାଦ ।
କରୋନା ସମୟରେ କୌଣସି ଦଳ ଦେଖାଯାଉନଥିଲେ । ସବୁ କ୍ୱାରେଣ୍ଟାଇନରେ ଚାଲିଯାଇଥିଲେ । ହେଲେ ବିଜେପିର ସମସ୍ତ କର୍ମକର୍ତ୍ତା ଲୋକଙ୍କ ସେବାରେ ଲାଗିଥିଲେ । ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରେ ଜେପି ନଡ୍ଡା ପହଂଚିବା ପରେ ରୋଡ ଶୋ କରି ଜନତା ମଇଦାନରେ ପହଂଚିଥିଲେ । ସେଠାରେ ପହଂଚି ନଡ୍ଡା ବିଶାଳ ସମାବେଶରେ ସାମିଲ ହୋଇଛନ୍ତି ।