ନାଗାଲାଣ୍ଡରୁ ହଟିବ AFSPA, କେନ୍ଦ୍ର ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ ୨୬।୧୨: ନାଗାଲାଣ୍ଡରେ ସେନା ଗୁଳିକାଣ୍ଡ ଯୋଗୁ ୧୪ ଜଣ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ପ୍ରଦେଶରେ ଲାଗୁ ଥିବା ଆର୍ମଡ ଫୋର୍ସେସ୍‌ ପ୍ରିଭିଲେଜ ଆକ୍ଟ (ଏଏଫଏସପିଏ) ହଟାଇ ଦେବାକୁ ବିଚାର କରୁଛନ୍ତି। ଏଥିଲାଗି ଖୁବ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡିଛି। ରାଜ୍ୟ ବିଧାନସଭାରେ ଏଥିଲାଗି ପ୍ରସ୍ତାବ ଗୃହୀତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କୁ ସୁପାରିଶ କରାଯାଇଛି। ଦେଶର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ଗତ କେଇ ଦଶକରୁ ଏହି ଆଇନ ବଳବତ୍ତର ରହିଛି।

ତେବେ ଭୁଲ ବୁଝାମଣା ଯୋଗୁ ମୋନ ଜିଲ୍ଲାରେ ସେନାର ଗୁଳିକାଣ୍ଡକୁ ନେଇ ଏବେ ଯାଞ୍ଚ କରାଯାଉଛି। ତଦନ୍ତରୁ ଯିଏ ବି ଦାୟୀ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯିବ ବୋଲି ଭାରତ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ନାଗାଲାଣ୍ଡର କେତେକ ଜିଲ୍ଲାରେ ଲୋକେ ଉତ୍ତୋଜକ ପ୍ରଦର୍ଶନ କରିବା ସହ ରାଜ୍ୟରୁ କେନ୍ଦ୍ର ଦ୍ୱାରା ଜାରି ଏଏଫଏସପିଏ ଆଇନ ହଟାଇବାକୁ ଦାବି ମଧ୍ୟ କରିଥିଲେ।

ଏହି ଆଇନରେ ଅଶାନ୍ତ କ୍ଷେତ୍ରରେ ମୁତୟନ ସୁରକ୍ଷା ବଳ ବିନା କୌଣସି ପୂର୍ବସୂଚନାରେ କାହାରିକୁ ମଧ୍ୟ ଗିରଫ  ଅଥବା ତାଙ୍କର ତଲାସୀ ନେଇପାରୁଛନ୍ତି। ଯଦି ଏହି କାର୍ଯ୍ୟାନୁଷ୍ଠାନ କାଳରେ ଗୁଳିଗୋଳା ଚାଲିଲା ଓ ଏଥିରେ କାହାର ମୃତ୍ୟୁ ହେଲା ଆଇନରେ ମିଳିଥିବା ବ୍ୟବସ୍ଥାରେ ସୁରକ୍ଷା ବଳ ଦାୟି ହେଉ ନଥିଲେ। ତେବେ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ କରିଥିବା ବୈଠକରେ ନାଗାଲାଣ୍ଡରୁ ଏଏଫଏସପିଏ ହଟାଇବା ନେଇ ଆଲୋଚନା କରିଥିଲେ।

ଆଇନ ହଟାଇବା ଲାଗି ରାଜ୍ୟର ପରିସ୍ଥିତି ସମୀକ୍ଷା ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ନିଷ୍ପତ୍ତି ନେଇଥିଲେ। ବୈଠକରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ, ଉପମୁଖ୍ୟମନ୍ତ୍ରୀ ୱାଇ.ପଟ୍ଟନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଟି.ଆର.ଜେଲିଆଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ନାଗାଲାଣ୍ଡ ସରକାର ବୟାନ ଜାରି କରି ରାଜ୍ୟରୁ ଏଫଏସପିଏ ହଟଇବା ଲାଗି ଉଚ୍ଚସ୍ତରୀୟ କମିଟି ପରିସ୍ଥିତି ସମୀକ୍ଷା କରିବେ ବୋଲି ଘୋଷଣା କରିଥିଲେ। କମିଟିଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପରବର୍ତ୍ତି ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। ଏଣୁ କମିଟିଙ୍କ ସମୀକ୍ଷା ଲାଗି ରାଜ୍ୟର ସବୁ ବର୍ଗଙ୍କୁ ଶାନ୍ତି ଲାଗି ସରକାର ଅପିଲ କରିଥିଲେ।

Spread the love