ୱାଟ୍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍ଶୀଘ୍ର ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ । ଲୋକେ ସିଧାସଳଖ ଏହି ଟ୍ୟାପ୍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳଯୋଗାଣ ଆରମ୍ଭ ହୋଇଥିବାବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧଜଳ ଯୋଗାଇ ଦିଆଯିବ । ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅର୍ନ୍ତଭୁକ୍ତ ଲାଗି ସରକାରୀ ସ୍ତରରେ ମତପ୍ରକାଶ ପାଇଛି ।
ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଆଜି ସହରାଞ୍ଚଳରେ ୱାଟ୍କୋର ପାନୀୟ ଜଳଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ପି.କେ.ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୱାଟ୍କୋ ପକ୍ଷରୁ ଜଳଯୋଗାଣ ସଂକ୍ରାନ୍ତରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କଟକ ମହାନଗର ନିଗମରେ ୱାଟ୍କୋ ପକ୍ଷରୁ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଥିବାବେଳେ ପୁରୀରେ ଲୋକେ ଖୁବ୍ଶୀଘ୍ର ବିଶୁଦ୍ଧଜଳ ପାଇପାରିବେ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଲୋକଙ୍କୁ ପାଇପ୍ ଯୋଗେ ‘ଆକ୍ୱାଗାଡଁ’ ମାନର ବିଶୁଦ୍ଧ ଜଳଯୋଗାଣ ଲାଗି ୱାଟ୍କୋ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପାଇପ୍ ବିଛାଯିବା ସହିତ ପ୍ରତ୍ୟେକ ଲୋକଙ୍କ ଘରକୁ ଉନ୍ନତମାନର କଳଙ୍କିବିହୀନ ପାଇପ୍ ସଂଯୋଗ ହେଉଛି । ସେହିଭଳି ପାଣିର ମାନ ନିମୟିତ ଭାବେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବାବେଳେ ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଏଥିପାଇଁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଜଳର ମାନ ପରୀକ୍ଷା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ଘରୁ ଜଳଯୋଗାଣ ସଂକ୍ରାନ୍ତୀୟ ବିଲ୍ ଆଦାୟ କରିବେ ।
ହିତାଧିକାରୀମାନେ କେତେ ଜଳ ବ୍ୟବହାର କରୁଛନ୍ତି ସେଥିପାଇଁ ଜଳମିଟର ଲାଗୁଥିବାବେଳେ ତଦନୁଯାୟୀ ବିଲ୍ ଆଦାୟ ହେବ । ୱାଟ୍କୋ ଅଧିନକୁ ସ୍ୱରେଜ ବ୍ୟବସ୍ଥା ଆଣିବାପାଇଁ ଅଧିକାରୀମାନେ ପ୍ରସ୍ତାବ ଦେଇଥିବାବେଳେ ଏହା ଉପରେ ଅଧିକ ଆଲୋଚନା ପରେ ନିଷ୍ପତ୍ତି ନିଆଯିବବୋଲି ବୈଠକରେ ମତପ୍ରକାଶ ପାଉଛି । ତେବେ କରୋନା ମହାମାରୀ ଯୋଗୁଁ ଧିମେଇ ଯାଇଥିବା ୱାଟ୍କୋ ଜଳଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।