ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାସ୍

ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ବିଲ୍ ସପକ୍ଷରେ ୧୨୫ ଓ ବିପକ୍ଷରେ ୯୯ ଭୋଟ୍ ଆସିଥିଲା । ଶିବସେନା ଭୋଟିଂରୁ ବିରତ ରହିଥିଲା । ବିଲ୍ ଉପରେ ଆସିଥିବା ୪୩ ଟି ସଂଶୋଧନ ପ୍ରସ୍ତାବ ଖାରଜ ହୋଇଯାଇଥିବା ବେଳେ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଦଳ ଦାବି ମଧ୍ୟ ଅନୁରୂପ ଖାରଜ ହୋଇଛି । ପୂର୍ବରୁ ଗତ ୯ ତାରିଖରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ବିଲ୍ କୁ ୩୧୧ ଜଣ ସମର୍ଥନ କରିଥିବା ବେଳେ ୮୦ ଜଣ ବିରୋଧ କରିଥିଲେ । ଏବେ ଉଭୟ ଗୃହର ଅନୁମୋଦନ ପାଇଥିବା ଏହି ବିଲ୍ ରାଷ୍ଟ୍ରପତିଙ୍କ ମଂଜୁର ପରେ ଆଇନରେ ପରିଣତ ହେବ ।

ସଂଶୋଧିତ ଏହି ନୂଆ ଆଇନ ଅନୁଯାୟୀ ଦେଶରେ ସର୍ବନିମ୍ନ ୫ ବର୍ଷ ରହିଥିବା ଶରଣାର୍ଥୀଙ୍କୁ ବେଆଇନ ବୋଲି ଗ୍ରହଣ କରାଯିବନି । କେବଳ ପାକିସ୍ଥାନ, ବାଂଲାଦେଶ ଓ ଆଫଗାନିସ୍ଥାନ ଅଣ ମୁସଲମାନ ଶରଣାର୍ଥୀଙ୍କ ପାଇଁ ଏହା ଲାଗୁ ହେବ । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଏହି ତିନୋଟି ଦେଶରୁ ପଳାଇ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହା ଆଗତ କରିଥିବା ଏହି ବିଲ୍ କୁ ନେଇ ଦିନତମାମ ସରଗରମ ବିତର୍କ ଜାରି ରହିଥିଲା । ଏହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହାକୁ ତୀବ୍ର ବିରୋଧ କରାଯାଇ ହିଂସାକାଣ୍ଡ ଘଟିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ଗାଡି ମଟର ଓ ଅଫିସ ଜଳାପୋଡା କରିଛନ୍ତି । ଅବସ୍ଥା ଅଣାୟତ୍ତ ହେବାରୁ ଆସାମର ଗୌହାଟୀରେ କର୍ଫୁ୍ୟ ଜାରି କରାଯାଇଥିବା ବେଳେ ତ୍ରିପୁରାରେ ସେନାବାହିନୀ ମୁତୟନ ହୋଇଛନ୍ତି ।
ବିବାଦୀୟ ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହରେ ପାସ୍ ହେବା ବିଜେପିର ବଡ଼ ସଫଳତା ଭାବେ ଗଣାଯାଉଛି । ବିଲ୍ ସପକ୍ଷରେ ଭୋଟ ଦେଇଥିବା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇବା ସହ ଆଜି ଦିନଟି ସମଗ୍ର ଦେଇ ପାଇଁ ଏକ ସ୍ମରଣୀୟ ଦିବସ ବୋଲି କହିଛନ୍ତି । ଅଧିକାରରୁ ବଞ୍ଚିତ ଏବଂ ନିର୍ଯ୍ୟାତିତ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ସାର୍ଥକ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଆଜିର ଦିନକୁ ସାମ୍ବିଧାନିକ ଇତିହାସରେ କଳା ଦିବସ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ।
ବିଲ୍ ଆଗତ କରିଥିବା ଗୃହମନ୍ତ୍ରୀ ଅମିତ୍ ଶାହା ସବୁ କ୍ରେଡିଟ୍ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହା ସଫଳ ହେଲା ବୋଲି ଶାହା କହିଛନ୍ତି । ଏହି ବିଲ୍ ଜରିଆରେ ଦେଶର ଧର୍ମନିରପେକ୍ଷତାକୁ ପ୍ରହାର କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ବିରୋଧୀ ଦଳର ଅଭିଯୋଗକୁ ନିଜର ସଂଖ୍ୟାବଳରେ ବାଏଁ ବାଏଁ ଉଡ଼ାଇଛନ୍ତି ଅମିତ୍ ଶାହା । ଧର୍ମ ଆଧାରରେ କାହାରି ପ୍ରତି ଭେଦଭାବ କରାଯାଇନାହିଁ । ଭାରତରେ ରହୁଥିବା ମୁସଲମାନ ନାଗରିକ ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ରାଜ୍ୟସଭାରେ ଦୋହରାଇଥିଲେ ଶାହା ।
Spread the love