୪୦ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ୩ବର୍ଷର ଶିଶୁ, ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ

ନାଳନ୍ଦା: ୪୦ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ୩ବର୍ଷର ଶିଶୁ। ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ। ବିହାରର ନାଳନ୍ଦାରେ ଘଟିଛି ଏଭଳି ଘଟଣା। ବିହାରର ନାଲନ୍ଦାରେ ଥିବା କୁଲ ଗାଁରେ ଜଣେ ୩ବର୍ଷର ଶିଶୁ ଖେଳୁଥିବା ସମୟରେ ୪୦ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲା। ଏହି ଘଟଣାର ସୂଚନା ପାଇବା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କରିବା ଅସମ୍ଭବ ଥିବାରୁ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଶିଶୁକୁ ଜେସିବି ଦ୍ବାରା ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ, ଶିଶୁଟି ତା’ ମାଆଙ୍କ ପ‌ଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିଲା। ପିଲାଟି ହେଉଛି କୁଲ ଗାଁର ବାସିନ୍ଦା ଡୋମନ୍ ମାଝୀଙ୍କ ୩ବର୍ଷର ପୁଅ ଶିବମ୍ କୁମାର। ଗ୍ରାମବାସୀ କହିଛନ୍ତି ଯେ ବୋରୱେଲରେ ପଡିଥିବା ଶିଶୁର କାନ୍ଦିବାର ଶବ୍ଦ ଏବେ ଶୁଣାଯାଉଛି।

ତେବେ ଶିବମଙ୍କୁ ଉଦ୍ଧାର କରିବା ପାଇଁ ଏବେ ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଏହା ସହ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏବେ ଶିବମଙ୍କୁ ବୋରୱେଲ ଭିତରେ ଅମ୍ଳଜାନ ଦିଆଯାଉଥିବା ଜଣାଯାଇଛି।

Spread the love