ଗୁରୁବାର କମ୍ପିବ ପଦ୍ମପୁର, ପ୍ରଥମ ଥର ଗୋଟିଏ ଦିନରେ ନାମାଙ୍କନ ଭରିବେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ଵର:  ଆସନ୍ତାକାଲି କମ୍ପିବ ପଦ୍ମପୁର । ଉପନିର୍ବାଚନ ପାଇଁ ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ୩ ଦଳର ପ୍ରାର୍ଥୀ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ କୌଣସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦେଖିବାକୁ ମିଳିବ । ଆଜି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ନୋମିନେସନ କରିବାର ଥିଲା । ହେଲେ ଏହାକୁ କାଲି ପର୍ଯ୍ୟନ୍ତ ଟାଳି ଦିଆଯାଇଛି । ୧୭ରେ ନାମାଙ୍କନ ଭରିବାକୁ ପୂର୍ବରୁ ଘୋଷଣା କରିଥିଲେ କଂଗ୍ରେସ ପ୍ରାର୍ଥୀ । ଆଉ ଦୁଇ ଦିନ ତଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିବାକୁ ଥାଟ ପଟୁଆରେ ଯାଇଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଥିବା ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ନୋମିନେସନ କରିନଥିଲେ ।

କାଲି କମ୍ପିବ ପଦ୍ମପୁର । ପାଟ ପଟୁଆର ଧରି ନୋମିନେସନ ପାଇଁ ବାହାରିବେ ପ୍ରାର୍ଥୀ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର ଦୃଶ୍ୟ ଦେଖିବାକୁ ମିଳିବ । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୧୭ ତାରିଖ ହେଉଛି ନାମାଙ୍କନ ଭରିବାର ଶେଷ ତାରିଖ । ଆଉ ଶେଷ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ପ୍ରାର୍ଥୀ ପତ୍ର ଦାଖଲ କରିବେ ତିନି ଦଳର ପ୍ରାର୍ଥୀ । ଗତ ୧୪ ତାରିଖରେ ଆଗୁଆ ନୋମିନେସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବାହାରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ଏଥିରୁ ଓହରିଥିଲେ । ଆଉ ଆଜି ଅର୍ଥାତ ୧୬ ତାରିଖରେ ନାମାଙ୍କନ ଦାଖଲ ପାଇଁ ବିଜେଡି ଘୋଷଣା କରିଥିଲେ ମଧ୍ୟ ନୋମିନେସନ କରିନାହାନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ।  ସେହିଭଳି ୧୭ତାରିଖରେ ନାମାଙ୍କନ ଭରିବାକୁ ଘୋଷଣା କରିଥିଲା କଂଗ୍ରେସ ।

ସେପଟେ ନୋମିନେସନ ପୂର୍ବରୁ ତିନି ଦଳର ପ୍ରାର୍ଥୀ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଦୁବଲାବାହାଲ ଠାରେ ବିଶାଳ ସମାବେଶ କରିଥିଲା ବିଜେଡି । ସଭା ମଞ୍ଚରେ ବାପା ବିଜୟ ରଞ୍ଜନ ସିଂ ବରିହାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା । ଭାବବିହ୍ବଳ କଣ୍ଠରେ ସଭାମଞ୍ଚରୁ ଭୋଟରଙ୍କ ଆଶୀର୍ବାଦ ଲୋଡ଼ିଥିଲେ ବର୍ଷା । ପଦ୍ମପୁରବାସୀଙ୍କ ସହ ତାଙ୍କ ବାପାଙ୍କ ଥିବା ସମ୍ପର୍କକୁ ଆଗେଇ ନେବାକୁ ସଭା ମଞ୍ଚରୁ ତଳକୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଗୁରୁଜନଙ୍କୁ ମୁଣ୍ଡିଆ ମାରି ସୁଖଦୁଃଖର ସାଥୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ପିଲାମାନଙ୍କୁ ସ୍ନେହ କରିବା ସହ ଯୁବପିଢ଼ିଙ୍କ ସହ ସେଲଫି ନେଇଥିଲେ ।

ପଦ୍ମପୁର ଉପ ନିର୍ବାଚନରେ କୃଷକ ସଂଗଠନ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଦୁଇ ଦଳ ବିଜେଡି ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏବେ ଉଭୟ ଦଳ ପକ୍ଷରୁ ସମସ୍ୟା ସମାଧାନର ପ୍ରତିଶ୍ରୂତି ପରେ ଆନ୍ଦୋଳନକାରୀ ସେମାନଙ୍କ ଉପରେ ଭରସା କରିବେ ବୋଲି ଆଶା କରାଯାଉଛି । ତେବେ ନିଜ ନିଜ ରଣନୀତିରେ ପଦ୍ମପୁର ଭୋଟରଙ୍କ ଆସ୍ଥା ଭାଜନ ପାଇଁ ଲାଗିଛନ୍ତି ତିନି ଦଳ । ଆସନ୍ତାକାଲି ନୋମିନେସନ ପରେ ପ୍ରଚାର ଜୋର୍ ଧରିବ । ଡିସେମ୍ବର ୫ରେ ନିଜ ମନପସନ୍ଦର  ବିଧାୟକ ବାଛିବେ ପଦ୍ମପୁରବାସୀ ।

Spread the love