ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଭୁବନେଶ୍ୱର ୦୭/୧୨: ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର । ୧୦୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ । କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ । ତା’ପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଥିଲେ । ତେବେ ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନଥିଲେ ।

ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ କିଶୋର ପୃଷ୍ଟି ଚାଟଶାଳୀ ଜରିଆରେ ଦୀର୍ଘ ୮୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରିଆସୁଥିଲେ । କିଛିଦିନ ପୂର୍ବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ ।

ପରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ତେବେ ନନ୍ଦ ସାରଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମସ୍ ପକ୍ଷରୁ “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ” ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଛି । ଦେବପ୍ରଭା ପଡକ୍ସନ ଓ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଣବ ଆଇଚ, ପ୍ରଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଏବଂ ଅଭିନେତ୍ରୀ ନୈନା ଦାଶ ରହିଛନ୍ତି ।

ଏହାର କାହାଣୀ ଅସ୍ମିତା ପତି ଲେଖିଥିବା ବେଳେ ନନ୍ଦ ସାରଙ୍କ ଗାଁ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ୮୦ ଭାଗ ସୁଟିଂ ସରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୨ ରେ ଏହା ରିଲିଜ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Spread the love