ନନ୍ଦିଘୋଷ’ ଟିଭିର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ : ଲୋକଙ୍କ ବିଶ୍ୱାସ ହିଁ ଗଣମାଧ୍ୟମକୁ ପ୍ରଭାବଶାଳୀ କରିଥାଏ

ଭୁବନେଶ୍ୱର,୧୩/୨:‘ନନ୍ଦିଘୋଷ’ ଟିଭିକୁ ବର୍ଷେ ପୂରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ନନ୍ଦିଘୋଷ ଟଭି ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି। ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି। ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ମିଡ଼ିଆ ପାଇଁ ଲୋକଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଲୋକଙ୍କ ବିଶ୍ୱାସ ହିଁ ଗଣମାଧ୍ୟମକୁ ପ୍ରଭାବଶାଳୀ କରିଥାଏ। ଏଣୁ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଦିଗରେ ଗୁରୁତ୍ୱ ଦେଇ ନନ୍ଦିଘୋଷ ଟିଭି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଏଥିସହିତ ବର୍ଷେ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନକ୍ଲେଭ୍’ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱରର ଜନୈକ ତାରକା ହୋଟେଲରେ ନନ୍ଦିଘୋଷ ଟିଭିର ପ୍ରଥ ସ୍ୱନକ୍ଷତ୍ର ସମାରୋହ ଆୟୋଜିତ ହୋଇଛି।  ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଏସ୍ ଭେଙ୍କେଟନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଆଲୋଚନାରେ ବରିଷ୍ଠ ସାମ୍ୱାଦିକ ଭେଙ୍କେଟନାରାୟଣଙ୍କ ସହ ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱର ଓ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ଥିଲେ। ପରେ ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ ସାମଲ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ ଏନେଇ ନିଜ ମତାମତ ପ୍ରଦାନ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ‘ମହାମାରୀ ପରର ଅର୍ଥନୀତି’ ଉପରେ ଆଲୋଚନା କରାଯାଇଥିଲା। ଯେଉଁଥିରେ ପୂର୍ବତନ କୁଳପତି ପ୍ରଫେସର କ୍ଷିତିଶ ଭୂଷଣ ଦାଶ, ଅର୍ଥନୀତି ବିଶାରଦ ଡ. ବିଜୟ କୁମାର ସାହୁ, ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଂଶଗ୍ରହଣ କରିଥିଲେ। ସେହିପରି ଜାତି ନନ୍ଦିଘୋଷ କନକ୍ଲେଭର ଦ୍ୱିତୀୟ ସେସନରେ ପ୍ରସଙ୍ଗ ଥିଲା ‘ଓଡ଼ିଶାର ରୂପାନ୍ତର’।

ଏଥିରେ ଓଡ଼ିଶା ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲକୋ ସିଏମଡି ଶ୍ରୀଧର ପଣ୍ଡା, ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତ୍ତିର୍କୀ ଭାଗ ନେଇଥିଲେ। ଓଡ଼ିଶାରେ ବିକାଶ ଓ ଦୁର୍ନୀତି ରୋକିବାରେ ତଥା ଓଡ଼ିଶାର କାୟାକଳ୍ପରେ ‘୫ଟି’ ର ଭୂମିକା କେମିତି ତାହା ଉପରେ ପ୍ୟାନେଲିଷ୍ଟ ନିଜ ମତ ରଖିଥିଲେ। ସେହିପରି ଅନ୍ୟ ଏକ ପ୍ରସଙ୍ଗ ‘ସିନେମାର ଡିଜିଟାଲ ଯାତ୍ରା’ ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ଯେଉଁଥିରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସିନେ ସମୀକ୍ଷମ ପୀଉଷ ରୟ ଭାଗ ନେବା ସହ ବିଭିନ୍ନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ‘ଆସନ୍ତା କାଲିର ଓଡ଼ିଆ ଭାଷା’ ପ୍ରସଙ୍ଗରେ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଥିଲା। ଔପନ୍ୟାସିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ କବି ଅପର୍ଣ୍ଣା ଦାସ ଏବଂ ସାହିତ୍ୟିକ ହରିହର ମିଶ୍ର ଓଡିଆ ଭାଷାର ସୃଷ୍ଟି, ସାହିତ୍ୟ ଏବଂ କଥିତ ଭାଷାକୁ ନେଇ ଆଲୋଚନାରେ ମତ ରଖିଥିଲେ।

Spread the love