ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମ ଜମିର ଇଞ୍ଚେ ବି କେହି ଦଖଲ କରିପାରିବେ ନାହିଁ: ଶାହା

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ‌ରେଖା (ଏଲଏସି)ରେ ଘଟିଥିବା ସଂଘର୍ଷରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି । ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଏହା ଏ ଧରଣର ପ୍ରଥମ ସଂଘର୍ଷ । ଗତ ୯ ତାରିଖରେ ଅରୁଣାଚଳପ୍ରଦେଶର ତଓ୍ବାନସ୍ଥିତ ୟାଙ୍ଗସିଠାରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ସଂସଦରେ ବିରୋଧୀ ଦାବି କରିବାରୁ ଏହା ଉପର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ କେହି ଇଞ୍ଚେ ବି ଜମି ଦଖଲ କରିପାରିବେ ନାହିଁ ବୋଲି କହିଛନ୍ତି ଶାହା।

ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) ର ବୈଦେଶିକ ଯୋଗଦାନ  ଅଧିନିୟମ (ଏଫସିଆରଏ) ରଦ୍ଦ ଉପରେ ପ୍ରଶ୍ନ ଏଡ଼ାଇବାକୁ କଂଗ୍ରେସ ସୀମା ବିବାଦ ପ୍ରସଙ୍ଗ ଉଠାଇଛି। ସେ କହିଛନ୍ତି ଯେ, କଂଗ୍ରେସ ଶାସନ କାଳରେ ଭାରତର ୧୮କିଲୋମିଟର ଜମି ଜବରଦଖଲ କରାଯାଇଥିଲା, କିନ୍ତୁ ଏହା ବିଜେପି ଶାସନ ଅଧୀନରେ ହୋଇପାରିବ ନାହିଁ। ମୁଁ ଏହା ସ୍ପଷ୍ଟ ଭାବରେ କହିବାକୁ ଚାହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମ ଜମିର ଏକ ଇଞ୍ଚ ମଧ୍ୟ କେହି ଦଖଲ କରିପାରିବେ ନାହିଁ।

Spread the love