ନାରୀ ଜନ୍ମନେବା କ’ଣ ଅଭିଶାପ

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ହୋଇ ଜନ୍ମ ନେବା କଣ ପାପ। ଏ ପ୍ରଶ୍ନ ହୁଏତ ଅନେକଙ୍କୁ ଆନ୍ଦୋଳିତ କରୁଥିବ। ହେଲେ ଏହାର ଉତ୍ତର କାମୁକ ପୁରୁଷଙ୍କ ନିହାତି  କଠିନ। ସମୟ ଏମିତି ହେଲାଣି ଆଉ ବାପା  ପାଖରେ ଝିଅ ବି ଆଉ ସୁରକ୍ଷିତ ମନେ କରୁନାହାନ୍ତି। କିଏ ବା ଆଉ ନ୍ୟାୟ ଦେବ। ଯେତେବେଳେ ଚାଲି ଶିଖି ନଥିବା କୁନି ଶିଶୁଟେ ଦୁଷ୍କର୍ମର ଶିକାର ହୁଏ , ଏ ସଭ୍ୟ ସମାଜ ପାଇଁ ଅନେକ ପ୍ରଶ୍ନ ଛାଡିଯାଏ। ମନେ ମନେ ଭାବେ ଝିଅ ହୋଇ ଜନ୍ମ ହୋଇ କଣ ଭୁଲ କଲି ? ଅନେକ ଅସମାହିତ ପ୍ରଶ୍ନକୁ ନେଇ ସିପ୍ରା ମହାନ୍ତିଙ୍କ ସ୍ୱତନ୍ତ୍ର ଉପସ୍ଥାପନ ।

ନାରୀ ସର୍ବଶକ୍ତିମାନ ବୋଲି ଅନେକ ପୁରାଣରେ ବର୍ଣ୍ଣିତ ହୋଇଛି । ପୁରାଣରେ ହେଉ ବା କୌଟିଲ୍ୟଙ୍କ ଶାସ୍ତ୍ରରେ ନାରୀକୁ ସମ୍ମାନ ଦେବା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଅନେକ ଜ୍ଞାନୀଜନ ନାରୀକୁ ଅନେକ ରୂପାନ୍ତରରେ ବର୍ଣ୍ଣନା କରିଛନ୍ତି । ନାରୀ ସଶକ୍ତୀକରଣ ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଜଣାନାହିଁ । ନାରୀକୁ ନେଇ ଚାଲିଛି ଅନେକ ଆଲୋଚନା । ତଲାକ୍ ଶବ୍ଦ, ଭ୍ରୁଣ ହତ୍ୟା, ଜେହାଦ ବିବାଦ, ବାଲ୍ୟ ବିବାହ, ଅନେକ ପ୍ରଥାକୁ ନେଇ ଚାଲିଛି ରାଜନୀତି ଖେଳ । କିନ୍ତୁ ଏହା କେତେ ଯଥାର୍ଥ । ଦିନକୁ ଦିନ ଏ ସଂସାରରେ ଚାଲିଛି ଜଘନ୍ୟ ଅତ୍ୟାଚାରଠୁ ବଳି ଅତ୍ୟାଚାର । ଏଥିରୁ କେହି ବି ବାଦ ପଡ଼ୁନାହାନ୍ତି । କାହାକୁ ବି ଛାଡୁନାହାନ୍ତି ଏ ସଂସାରର କେତେକ ଦୂରାଚାରୀ, ପାପୀ, ରାକ୍ଷସମାନେ । ମନୁଷ୍ୟ ମଧ୍ୟରୁ ଲୋପ ପାଇଯାଉଛି ମାନବିକତା । ହିଂସ୍ର ଜନ୍ତୁଠାରେ ଆମେ ଅନେକ ଥର ଦେଖିବାକୁ ପାଉଛୁ ଅନେକ ମାନବୀୟ ଗୁଣ । ସେମାନେ ଆମକୁ ଅନେକ ଶିକ୍ଷା ଦେଉଛନ୍ତି କିନ୍ତୁ ମନୁଷ୍ୟ ଏହାକୁ ଗ୍ରହଣ କରିବା ପରିବର୍ତେ ନିଜକୁ ସର୍ବେସର୍ବା ଭାବି ଅତ୍ୟାଚାରର ସୀମାକୁ ଡେଇଁଗଲାଣି । ଅଧୁନା ଚାଲିଛି ବହୁ ପ୍ରକାର ଅତ୍ୟାଚାର । ଏହାର ଶିକାର ସମସ୍ତ ପ୍ରାଣୀଜଗତ, ମାନବ ଏପରିକି ସୃଷ୍ଟିକର୍ତା ଦ୍ୱାରା ହୋଇଥିବା ଜାତ ସମସ୍ତ ପଦାର୍ଥ ଉପରେ ପ୍ରଭାବ ପଡୁଛି । ପ୍ରତ୍ୟେକ ଜଡ ବସ୍ତୁରେ ଭରି ଗଲାଣି ଏତେ ନକାରାତ୍ମକ ଶକ୍ତି । ସେହିମାନେ ଏକ କାଳସ୍ୱରୂପ ହୋଇ ଏହିସବୁ ଘଟଣାମାନ କରାଉଛି । ଜଙ୍ଗଲୀ ପଶୁ ପକ୍ଷୀଙ୍କ ଠାରୁ ଆଜିର ମନୁଷ୍ୟ ଏତେ ନୀଚକୁ ଗଲାଣି ଯେ ସେ କେଉଁ ସ୍ଥାନରେ ସ୍ଥାନିତ ହେବ ତାହାର କୌଣସି ଜାଗା ନାହିଁ କି ଦଣ୍ଡ ପାଇବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇପାରିନାହିଁ । ସମସ୍ତ ମାନବ ଜାତି ଯଦି ଏକତ୍ର ହୋଇ ଏଥିପ୍ରତି ଆନ୍ଦୋଳନ କରିବେ, ପରସ୍ପର ମଧ୍ୟରେ ବୁଝାମଣା, ପର ଆପଣା ଭାବକୁ ଦୂର କରିବେ ତେବେ ଏସଂସାରରୁ ନକାରାତ୍ମକ ଶକ୍ତିର ଦୁରାତ୍ମ୍ୟ ଅତ୍ୟାଚାର ଲୋପ ପାଇବ । ସମାଜରେ ମନୁଷ୍ୟର ବିଚାରଶକ୍ତି ଏତେ ଦୁର୍ବଳ ହୋଇଯାଇଛି ଯେ ସେ ତା’ ଝିଅ, ସ୍ତ୍ରୀ, ମା ପାଖପଡୋଶୀକୁ ନିଜର କ୍ଷୁଧାକୁ ମେଂଟାଇବା ପାଇଁ ପଛାଉ ନାହାନ୍ତି । ଜନ୍ମିଲା ଶିଶୁ ଧରାପୃଷ୍ଠକୁ ଓହ୍ଲାଇବାର ମାସେ ନ ହଉଣୁ ବା ପେଟରେ ଏକ ମାଂସ ପିଣ୍ଡୁଳା ପରି ଥିବା ଅବସ୍ଥାରେ ଏହି ପିପାସୁମାନେ ହିତଜ୍ଞାନ ଛାଡ଼ି ତାକୁ ବି ଶିକାର କରିଚାଲିଛନ୍ତି । ଛୋଟ ଶିଶୁଟି ଜାଣି ନଥାଏ ଏ ସଂସାରର ମୋହ ମାୟା, ଯୌନ ଇତ୍ୟାଦି ଜ୍ଞାନ ବିଷୟରେ । ସେ ଶାରୀରିକ ଓ ମାନସିକରେ ପରିପକ୍ୱ ହୋଇନଥାଏ । ସେ ଅଜ୍ଞାନ ଅବସ୍ଥାରେ ସେ ସମସ୍ତଙ୍କୁ ନିଜର କରିବା ସହିତ ସେ ଭାବିଥାଏ କି ଏହି ମାନେ ହିଁ ମୋର ରକ୍ଷାକର୍ତା । କିନ୍ତୁ ଏହି ରକ୍ଷାକର୍ତା ଏବେ ଭକ୍ଷକର୍ତାରେ ପାଲଟି ଯାଇଛନ୍ତି କି ନିଜ ରକ୍ତକୁ ମଧ୍ୟ ଛାଡ଼ୁ ନାହାନ୍ତି । ପ୍ରତି ମନୁଷ୍ୟ ମନରେ ଏପରି ଚିନ୍ତାଧାରା କେଉଁ ଆଡୁ ଆସୁଛି ତାହା ସହଜରେ ଜାଣି ହେଉନି । ନା ଏଯୁଗର ସମାପ୍ତ ହେବା ଲାଗି ଏହି କୋମଳମତି ଶିଶୁଙ୍କୁ ମୋହରା କରାଯାଉଛି । କ’ଣ ଭଗବାନ୍ ଏତେ ନିର୍ଦ୍ଦୟ ହୋଇଯାଇଛି ଯେ ସେ ନିଜକୁ କ୍ଷତି କରାଇବା ପାଇଁ ଏପରି କାଣ୍ଡ ଭିଆଉଛି । ନା କେଉଁ ଯୁଗରେ କେଉଁ ଅଭିଶାପ ପାଇ ଏ ଧରାପୃଷ୍ଠକୁ ଆସିଥିବା କେତେକ ପାପୀଙ୍କୁ ସର୍ବନାଶ କରିବା ପାଇଁ ସର୍ବପ୍ରଥମେ ଏହି ବାଳୁତମାନଙ୍କୁ ଶିକାର କରିବା ପାଇଁ ଯେପରି ସ୍ୱର୍ଗରୁ ଆଦେଶ ପାଇଛି । ସମାଜରେ ବାସ କରୁଥିବା ପୁରୁଷ ଜାତି କ’ଣ ଏତେ ନିଷ୍ଠୁର ନା ସାମାଜିକ ପରିସ୍ଥିତି ତାକୁ ଏହି ପଥକୁ ଆପଣାଇବା ପାଇଁ ବାଧ୍ୟ କରିଛି । ନା ପୁରୁଷ ତା’ର କ୍ଷୁଧା ସମୟ ଭିତରେ ମେଂଟାଇପାରି ନାହିଁ ଯାହାଫଳରେ ସେ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇ ଏହି ଶିକାର କରୁଛି । ପୃଥିବୀରେ ବାସ କରୁଥିବା ସମସ୍ତ ମାନବ ଜାତି ତା’ର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଥାଏ । ଯଦି ସୀମାରୁ ଅତିକ୍ରମ କରିଯାଏ ତ ମନୁଷ୍ୟ ଏ ପୃଥିବୀକୁ କଳୁଷିତ କରିବା ସହ ଧ୍ୱଂସ ମୁଖକୁ ନେଇଯିବ । ଏପରି କାହିଁକି ହେଉଛି । କାହିଁକି ନା ଯେଉଁ ପରିବାରରେ ସମସ୍ତ ସଦସ୍ୟ ତଥା ବାପା, ମା, ପୁଅ, ଝିଅ ଜେଜେ ଓ ଜେଜେ ମା’ର ମହତ୍ୱକୁ ତଥା ପରିବାରର ସମ୍ପର୍କକୁ ବୁଝି ନଥାନ୍ତି, ପରସ୍ପରକୁ ସମ୍ମାନ ଦେଇ ନଥାଏ, ତାର ହିତାଦର କରି ନ ଥାଏ, ପରସ୍ପର ମଧ୍ୟରେ ଯଦି ପ୍ରେମ, ମମତା, ସ୍ନେହ, ହାବଭାବ, ଆପୋଷ ବୁଝାମଣାରେ ତିକ୍ତତା ଦେଖାଦେଇଥାଏ ସେହି ସମୟରେ ପରିବାର ଭାଙ୍ଗିବା ସହ ସମ୍ପର୍କ ସମ୍ପୂଣ୍ଣ ତୁଟିଥାଏ ଏହା ଫଳରେ ଏହାର ସମାଧାନ କରିବା ପରିବର୍ତେ ଉଭୟ ପୁରୁଷ ଓ ନାରୀ ମଧ୍ୟରେ ବିଚ୍ଛେଦ ଦେଖାଦେଇଥାଏ । ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଓ ଭାଇ ଭଉଣୀ ଦୁହେଁ ଦୁହିଁଙ୍କ ବିନା ପାଣି ପିଉ ନଥିଲେ ବିଚ୍ଛେଦ ପରେ ଆଉ କିଏ ତାଙ୍କୁ ପାଣି ଟିକେ ଦେଇଦେବ ବୋଲି ଯେଉଁ ଆଶା ଓ ଇଚ୍ଛା ରଖିଥାନ୍ତି ତାହାକୁ ପୂରଣ କରିବା ପାଇଁ ଅନ୍ୟର ବଶର ଅଧିକାର ହୋଇଥାନ୍ତି । ଫଳରେ ଆସ୍ତେ ଆସ୍ତେ ସେମାନେ ଶିକାରର ଜାଲରେ ଫସିଯାନ୍ତି ନିଜକୁ ମୁକୁଳାଇବା ଲାଗି ବାଟ ପାଆନ୍ତି ନାହିଁ । ଏପରିକି କେହି କେହି ନିଜର ଶୋଷକୁ ମେଂଟାଇବା ପାଇଁ କାହାକୁ ଛାଡ଼ନ୍ତି ନାହିଁ । ଏପରିକି ସେମାନେ ତାଙ୍କର ସମସ୍ତ ଧନ, ସମ୍ପତି, ଅତି ନିଜର ଲୋକଙ୍କୁ ମଧ୍ୟ ମୋହରା କରିଥାନ୍ତି । ଯେପରି କି ଛୋଟ ଝିଅକୁ ପ୍ରଲୋଭନ ଦେଖାଇ ତା’ ସହିତ ଯୌନ କରି ତାକୁ ହତ୍ୟା କରିବା ଘଟଣା , ପ୍ରେମ ଜାଲରେ ଫସାଇ ସର୍ବସ୍ପାନ୍ତ କରିବା ପରେ ତାକୁ ନୃଶଂସ ଭାବେ ହତ୍ୟା କରିବା, ନିଶାରେ ମାତାଲ ହୋଇ ଦଳଗତ ଭାବେ ଯୌନ ପିପାସୁକୁ ମେଂଟାଇବା ପାଇଁ ଗୋଟିଏ ଯୁବତୀକୁ ଧର୍ଷଣ କରି ପୋଡି ହତ୍ୟା କରିବା, ପ୍ରତିଶୋଧ ନେବା ଲକ୍ଷ୍ୟରେ ମଧ୍ୟ ଯୁବତୀଙ୍କୁ ହତ୍ୟା କରିବା ଇତ୍ୟାଦି ଘଟଣା ଏବେ ବେଶ୍ ଚକିତ କରିଦେଇଛି । ଗୋଟିଏ ଝିଅର ମନବାଂଛା ପୂରଣ କରିବା ଲାଗି ତା’ ପୁରୁଷ ସାଂଗ ତାକୁ ଅନେକ ଲୋଭ ଦେଖାଇ ନିଜ ବଶରେ ରଖିଲା । ଯେତେବେଳେ ଝିଅର କ’ଣ ଇଚ୍ଛା ହେଲା ତେବେ ସେ ପୁରୁଷ ସାଂଗ ତାକୁ ଟଙ୍କା ମାଗିବା ଓ ଯୌନ ସମ୍ପର୍କ ରଖେ ବୋଲି କହିଥାଏ । ଯାହାଫଳରେ ଝିଅଟି ଟଙ୍କା ଦେବା ସହ ପୁରୁଷ ସାଂଗ ସହ ସମ୍ପର୍କ ରଖିଥାଏ । ଆସ୍ତେ ଆସ୍ତେ ପୁରୁଷ ସାଂଗ ତାକୁ ମାନସିକ ଓ ଶାରୀରିକ ଅତ୍ୟାଚାର ଦେବାରେ ଲାଗିଲା । ଝିଅଟି ତାକୁ ନିଜର ଭାବି ନିଜର ସର୍ବସ୍ୱ ଦେବା ପରେ ବି ପୁଅ ସାଂଗଟି ଧୋକ୍କା ଦେଇ ନିଃସହାୟ, ଦୁର୍ବଳା, ହତଭାଗିନୀ ଅବସ୍ଥାରେ ଛାଡ଼ି ଚାଲିଯାଏ । ଏପରିସ୍ଥିତିରେ ଝିଅଟି ତାର ସମସ୍ତ ଶକ୍ତିକୁ ହରାଇ ପାଗଳି ପରି ବୁଲିଥାଏ । କିଏ ତାର ଦୁଃଖ କଥା ଶୁଣିବ ଓ ତାର ସମସ୍ୟାକୁ ସମାଧାନ କରିବ ଏ ଭାବନା ନେଇ ସେ ସମସ୍ତଙ୍କୁ ଗୁହାରି କରିଥାଏ । କିନ୍ତୁ ତାକୁ ସମସ୍ତେ ମିଛ ମୋହ ମାୟାର ଜାଲରେ ଫସାଇ ପୁରୁଷମାନେ ତାକୁ ଶିକାର କରି ବିଭତ୍ସ ଅବସ୍ଥାରେ ପକାଇ ପୁଣି ଥରେ ଚାଲିଯାଇଥାନ୍ତି । ଏହା ଫଳରେ ଶିକାରୀଙ୍କ ନାଗଫାସରେ କେତେଥର ଶିକାର ହୋଇଥିବ ସେ ଜାଣିପାରେ ନାହିଁ । ମାନସିକ ଓ ଶାରୀରିକ କ୍ଷେତ୍ରରେ ସେ ପୂରା ଦୁର୍ବଳ ହୋଇ ଏକ ପାଗିଳି ପରି ବୁଲୁଥିଲେ ମଧ୍ୟ ତାକୁ ପୁରୁଷ ଜାତି ଦୟା ଦେଖାଇବା ପରିବର୍ତେ ନିଜର ଶିକାର କରିଥାନ୍ତି । ଏହି ଯୌନପିପାସୁଙ୍କ ଇଚ୍ଛା ଏତେ ମାତ୍ରାରେ ବଢ଼ିଯାଇଛି ଯେ ସେ ୩ ମାସର ଶିଶୁ ଠାରୁ ଆରମ୍ଭ କରି ୪ ବର୍ଷ, ୧୦ ବର୍ଷ, ୧୬ବର୍ଷ ଠାରୁ ୭୫-୮୦ ବର୍ଷର ବୃଦ୍ଧାମାନଙ୍କୁ ଶିକାର କରିବା ସହ ଅମାନୁଷିକ ଭାବେ ହତ୍ୟା କରିବାରେ ପଛାଉ ନାହାନ୍ତି । ଆଜିର ସମାଜରେ ନାରୀ ଜଳ, ସ୍ଥଳ ଓ ଆକାଶରେ ନିଜର ଏକ ସ୍ଥାନ ପ୍ରସ୍ତୁତ କରିସାରିଥିବା ବେଳେ ସେ ଆଉ ଦୁର୍ବଳା ନାହିଁ ବୋଲି ପରିଚୟ ଦେଉଥିବା ବେଳେ ଏ ସମାଜ କାହିଁକି ନାରୀକୁ ପ୍ରଶଂସା ଓ ସମ୍ମାନ ପ୍ରଦାନ କରିବାରେ ପଛଘୁଂଚା ହେଉଛି । ନାରୀ ସମାଜରେ ନିଜକୁ ଏକ ଶକ୍ତିଶାଳୀ ନାରୀ ଭାବେ ଉଭା ହେଉଥିବା ବେଳେ ପୁରୁଷ ଜାତି ସକାରାତ୍ମକ ଭାବେ ଗ୍ରହଣ ନ କରି ନକାରାତ୍ମକ ମନୋଭାବ ରଖି ଅତ୍ୟାଚାର କରିବାରେ ଲାଗିଛି । ଯଦ୍ୱାରା ନାରୀ ଓ ପୁରୁଷ ମଧ୍ୟରେ ଥିବା ସମ୍ପର୍କ ଆଜି ଅତୁଟ ନ ରହି ଭାଙ୍ଗିବାରେ ଲାଗିଛି । ବର୍ତମାନ ସମାଜରେ ଘଟୁଥିବା ନାରୀପ୍ରତି ହେଉଥିବା ଜଘନ୍ୟ ଅତ୍ୟାଚାରର ମାତ୍ରା ଏତେ ବୃଦ୍ଧି ପାଇଲାଣି ଯେ ଯାହାକୁ ରୋକିବା ଅସମ୍ଭବ ହୋଇପଡ଼ିଲାଣି । ଖାଲି ଯୌନ ଶୋଷଣ ପାଇଁ ନା ଆଉ କିଛି କାରଣରୁ ଶିଶୁ କନ୍ୟା, ଯୁବତୀ, ମହିଳାମାନଙ୍କୁ ମୋହରା କରାଯାଉଛି ନା’ ଆଉ କ’ଣ ଉଦ୍ଦେଶ୍ୟ ରହିଛି । ପୁରୁଷ ସମାଜ ସେହି ନାରୀ ଗର୍ଭରୁ ଜନ୍ମ ହୋଇସେହି ନାରୀକୁ ସମ୍ମାନ ଦେବା ପରିବର୍ତେ ଅସମ୍ମାନ, ଅନାଦର, ଅସମ୍ମାନ, ମାନସିକ, ଶାରୀରିକ ଓ ନୈତିକତା କ୍ଷେତ୍ରରେ ନିର୍ଯ୍ୟାତନା ଦେଇଚାଲିଛି । ଯଦି କେହି ତାଙ୍କ ବିରୋଧରେ ସ୍ୱର ଉତୋଳନ କରେ ତାକୁ ଏ ପୁରୁଷ ଜାତି ମଧ୍ୟ ଶିକାର କରିବାକୁ ପଛାଉନାହାନ୍ତି ଏପରିକି ଧମକ ଚମକ ଦେଇ ତାକୁ ନିର୍ଯାତନା ଦେଇଥାନ୍ତି ଓ ଭୟଭୀତ କରାଇଥାନ୍ତି । ଏହା କ’ଣ ପୁରୁଷତ୍ୱ । ଏହା କ’ଣ ପୁରୁଷ ପଣିଆ । ଏହା କେତେ ସ୍ୱୀକାରଯୁକ୍ତ । ଏହି ପୁରୁଷ ଜାତି କ’ଣ ପାଇଁ ଏ ଶିକାର କରୁଛନ୍ତି? ଏହି ଶିକାରରେ କ’ଣ ପାଉଛନ୍ତି? ଏହା କ’ଣ ନାରୀଜାତି ପାଇଁ ଅଭିଶାପ ନା ଆଉ କ’ଣ । ଏ କି ଶାସ୍ତି ଭଗବାନ୍‌, କ’ଣ ଏହାର ଅନ୍ତ ନାହିଁ । ଏହି ମର୍ମନ୍ତୁଦ, ଦୁର୍ଭାଗ୍ୟ, ଲଜ୍ଜାଜନକ ଘଟଣା ସମାଜରେ ଏପରି କେତେ ଦିନ ଚାଲିବ । କେବେ ମନୁଷ୍ୟ ନିଜର ବିବେକ, ବିଚାର, ମାନବିକତାକୁ ଚିହ୍ନି ପାରି ଭଲ ମାନବୀୟ ସାଜି ପାରିବନି । କେବେ ଏ ସମାଜରୁ ଏପରି ଦୁଷ୍କର୍ମ ପରି ଘଟଣାମାନ ଲୋପ ପାଇବ । କେବେ କ’ଣ ନାରୀ ମାନେ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇପାରିବେ ନାହିଁ । ନାରୀ ଶକ୍ତିକୁ କାହିଁକି ଅବମାନନା କରାଯାଉଛି । ଏହା କ’ଣ ସମାଜର ନିୟମ ।

(ସିପ୍ରା ମହାନ୍ତି)

     

 

 

 

     

Spread the love