ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ

କଟକ ସହର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫୪୧ କୋଟିର ପୂଜା ଭେଟି। ସିଏନବିଟି ସହ ୩୪୧ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୦ଟି ପ୍ରକଳ୍ପର ଉଦଘାଟନ ଏବଂ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪ଟା ୩୦ରେ କଟକ ନେତାଜୀ ବସ ଟର୍ମିନାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଖାନନଗରସ୍ଥିତ ସିଏନବିଟି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି। ଏହି ବସ ଟର୍ମିନାଲକୁ ସ୍ଥାନାନ୍ତରିତ ହେବ କଟକର ବାଦାମବାଡ଼ି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ। ଏକା ସାଙ୍ଗରେ ୧୯୦ରୁ ଅଧିକ ବସ ରହିବା ପରି ବ୍ୟବସ୍ଥା କରାଯାଇଛି। ଟର୍ମିନାଲର ବିଭିନ୍ନ ସ୍ଥାନରେ ଯାତ୍ରୀ ମାନଙ୍କ ବସିବା ପାଇଁ ୧୬୯୫ ଟି ଚେୟାର ବ୍ୟବସ୍ଥା କରାଯାଇଛି। ରାତ୍ରିଯାପନ କରିବାପାଇଁ ୪ଟି ଡର୍ମିଟୋରିର ବ୍ୟବସ୍ଥା ରହିଛି। ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଲାଗିଛି ଶହେରୁ ଅଧିକ ସିସି ଟିଭି କ୍ୟାମେରା। ଆଜି କଟକରୁ ପୁରୀକୁ ଗଡ଼ିବ ପ୍ରଥମ ବସ୍।ଉଦଘାଟନ ତାଲିକାରେ ଅନ୍ୟତମ ବଡ଼ ପ୍ରକଳ୍ପ ରହିଛି ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ, ମହାନଦୀ କ୍ୟାମ୍ପସ। ୬୬ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟରେ ନିର୍ମିତ ହୋଇଛି ଏହି ମହାନଦୀ କ୍ୟାମ୍ପସ।

Spread the love