ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ସେବା ସିଡ୍ୟୁଲ ପୁଣି ବାତିଲ, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରଦ୍ଦ ଘୋଷଣା କଲେ DGCA

ନୂଆଦିଲ୍ଲୀ ୨୯।୮: ଭାରତରେ କରୋନା ଭାଇରସ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ରବିବାର ଅନ୍ତର୍ଜାତୀୟ ବିମାନ ସେବା ସିଡ୍ୟୁଲରେ ଜାରି କଟକଣାକୁ ପୁଣି ସମ୍ପ୍ରସାରଣ କରିଛନ୍ତି। ଏଥିରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଦେଶରୁ କୌଣସି ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଭାରତ ଆସିପାରିବନି କି ଭାରତରୁ କୌଣସି ଯାତ୍ରୀ ବିମାନ ବିଦେଶ ଗନ୍ତବ୍ୟରେ ଉଡ଼ିବନି। ତେବେ ଏହି କଟକଣା କାର୍ଗୋ ଓ ଡିଜିସିଏଙ୍କ ସ୍ୱତନ୍ତ୍ର ଅନୁମୋଦନରେ ଉଡ଼ାଣ କରୁଥିବା ବିମାନ ଲାଗି ପ୍ରଜୁଯ୍ୟ ହେବ ନାହିଁ।

ଦେଶରେ କୌଭିଡ-୧୯ ମହାମାରୀ ସଂକ୍ରମଣ ପରେ ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ଜାରି ରହିଛି। ତେବେ ପରବର୍ତ୍ତି ସମୟରେ ଡିଜିସିଏ ଘରୋଇ ଗନ୍ତବ୍ୟରେ ବାଣିଜ୍ୟିକ ଉଡାଣ ଅନୁମତି ଦେଇଥିଲେ ହେଁ ଅନ୍ତର୍ଜାତୀୟ  ଗନ୍ତବ୍ୟରେ କଟକଣା ଜାରି ରହିଛି। ଏହି ସମୟରେ ଦେଶରେ ଓ ଦେଶବାହାରେ ଅଟକି ରହିଥିବା ନାଗରିକ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ସରକାର ବନ୍ଦେ ଭାରତ ମିସନ ବାୟୋ ବବୁଲରେ କିଛି ସମୟ ଲାଗି ଯାତ୍ରୀ ସେବା ଉପଲବ୍ଧ କରାଇଥିଲେ। ଏହା ପୂର୍ବରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ଉଡାଣ ସେବା ସିଡ୍ୟୁଲ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ଥିଲା। ଯାହାକୁ ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁଣି ସମ୍ପ୍ରସାରଣ କରାଯାଇଛି। ଭାରତରେ କରୋନା ଦ୍ୱିତୀୟ ଲହର ଏବେବି ପ୍ରସମିତ ହୋଇ ନାହିଁ। ସାରା ଦେଶରେ ଏବେ ଦୈନିକ ୪୦ ହଜାର ପର୍ଯ୍ୟନ୍ତ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିରେ ଏବେ ତୃତୀୟ ଲହରର ଆଶଙ୍କା ସାରା ଦେଶକୁ ଆତଙ୍କିତ କରିଛି।  

Spread the love