ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ଜନତାଙ୍କ କଲ୍ୟାଣ ଦିଗରେ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ କରାଯାଉ : ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ‘ଡିଜି-ଟେକ୍, ମିଡିଆ ଏବଂ ଗଣତନ୍ତ୍ର’ ବିଷୟବସ୍ତୁ ଉପରେ ଆଧାରିତ ସପ୍ତମ ଜାତୀୟ ମିଡିଆ କନକ୍ଲେଭ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମାନେ ଯୋଗ ଦେଇ ଗଣମାଧ୍ୟମ, ଗଣତନ୍ତ୍ର, ଯୋଗାଯୋଗ କ୍ଷେତ୍ରର ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି।

ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ପକ୍ଷରୁ ଆୟୋଜିତ, ଉତ୍କଳ ବିଶ୍ବବିଦ୍ୟାଳୟ ସହଭାଗିତାରେ କିମ୍ସ ଅଡିଟୋରିୟମରେ ଅନୁଷ୍ଠିତ ଏହି ତିନିଦିନିଆ ମିଡ଼ିଆ ମହାକୁମ୍ଭକୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରଚନ୍ଦନ ଉଦ୍ଘାଟନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ଜନମାନସର କଲ୍ୟାଣ ଦିଗରେ ଡିଜିଟାଲ୍ ଟେକ୍ନୋଲୋଜିର ଉପୋଯୋଗ କରିବାକୁ ଆହ୍ଵାନ ଦେଇଥିଲେ।

ଶ୍ରୀ ହରିଚନ୍ଦନ ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ର ଓ ପ୍ରେସ୍ ସ୍ୱାଧୀନତା ରକ୍ଷାରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଡକ୍ଟର ମହତାବ ‘ଗାଁ ମଜଲିସ୍’ ସ୍ତମ୍ଭ ମାଧ୍ୟମରେ ବାର୍ତ୍ତା ବାଢ଼ିଥିଲେ ଯେ ଗଣତନ୍ତ୍ର କେବେ ମରିପାରିବ ନାହିଁ ଏବଂ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ  ହୋଇପାରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ଜାତୀୟ ଗଣମାଧ୍ୟମ କନକ୍ଲେଭ ଅଧ୍ୟକ୍ଷ ତଥା ଆଇଏମ୍ଏସ୍ ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣରେ କନକ୍ଲେଭର ବିଷୟବସ୍ତୁ ଓ ସାମାଜିକ କଲ୍ୟାଣ ଦିଗରେ ଏହାର ବ୍ୟବହାର ଉପରେ ଆଲୋକପାତ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କନକ୍ଲେଭରେ ସଭାପତିତ୍ବ କରି କହିଥିଲେଯେ ଡିଜିଟାଲ ଟେକ୍ନୋଲୋଜି ଦ୍ଵାରା ଗଣମାଧ୍ୟମ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ଗଣତନ୍ତ୍ରକୁ ସୁଦୃଢ କରିପାରିବ।

ମଣିପାଲ ଏକାଡେମୀ ଅଫ ହାୟର ଏଜୁକେସନର ପ୍ରଫେସର ବି. ପି. ସଞ୍ଜୟ ପ୍ରାରମ୍ଭିକ ଭାଷଣରେ ଡିଜି-ଟେକ ବିଶ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।

ଏସିଆନ ମିଡିଆ ଇନଫରମେସନ ଆଣ୍ଡ କମ୍ୟୁନିକେସନ ସେଣ୍ଟର (ଏଏମଆଇସି) ମହାସଚିବ ପ୍ରଫେସର ରାମୋନ ଗୁଇଲେରର୍ମୋ ଆର ଟ୍ୟୁଜନ ତାଙ୍କ ଅଭିଭାଷଣରେ ଖାଦ୍ୟସୁରକ୍ଷା,ଜଳବାୟୁ ପରିବର୍ତ୍ତନ ଓ କୃଷି ଉତ୍ପାଦନ କ୍ଷେତ୍ରରେ ଡ଼ିଜି-ଟେକ ର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ପ୍ରଫେସର ଭି.ଏଲ୍. ଧାରୁରକରଙ୍କ ଦ୍ୱାରା ଲିଖିତ  ‘ନ୍ୟାସନାଲ୍ ଏଜୁକେସନ୍ ପଲିସି: ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ’  ଓ ପ୍ରଫେସର ଫକୀର ମୋହନ ନାହାକଙ୍କ ଦ୍ୱାରା ଲିଖିତ ‘ହେଲ୍ଥ କମ୍ୟୁନିକେସନ୍’ ଓ ‘ଗାଁ କଥା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର କେ.ଭି. ନାଗରାଜଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇ ଥିଲା।ସ୍ୱର୍ଗତ ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ସ୍ମୃତିଚାରଣରେ ପ୍ରଫେସର ନାଗରାଜ ଏକ ବକ୍ତୃତା ପ୍ରଦାନ କରିଥିଲେ।

କନକ୍ଲେଭର ପ୍ରଥମ ଦିବସରେ ‘ମିଡ଼ିଆ ରେ ଡିଜିଟାଲ ଟେକ୍ନୋଲୋଜି’, ‘ଡିଜିଟାଲ ଇକୋସିଷ୍ଟମ୍‌ରେ ସାମାଜିକ ଓ ଲିଙ୍ଗଗତ ସମାନତାର ଆବଶ୍ୟକତା’ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ।

କନକ୍ଲେଭର ଦ୍ୱିତୀୟ ଦିବସରେ ଦୁଇଟି ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ୬ଟି ସମାନ୍ତରାଳ ପେପର ରିଡିଂ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ୧୩୦ଟି ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ ହେବ ।

Spread the love