ଧର୍ମେନ୍ଦ୍ରଙ୍କ ପାଇଁ ଦଳୀୟ ନେତାଙ୍କ ଲବି! ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାୟକ

ଆସନ୍ତା ଲୋକସଭା ନିର୍ବାଚନରେ ଲଢିବାକୁ ଧର୍ମେନ୍ଦ୍ର କହିଥିବା ବେଳେ କେଉଁ ଆସନରୁ ଲଢିବେ ତାହା ଏଯାଏଁ ସ୍ଥିର ହୋଇନାହିଁ । ତେବେ ଧର୍ମେନ୍ଦ୍ରଙ୍କ ବାରମ୍ବାର ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ ସଂକେତ ଦେଉଛି ଯେ, ଏହି ୨ ନିର୍ବାଚନମଣ୍ଡଳୀରୁ କେଉଁ ଗୋଟିଏ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ର । ତେବେ ପ୍ରାର୍ଥୀ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ନାଉରୀ କହିଛନ୍ତି, ସମ୍ବଲପୁରରୁ ଲଢିବାକୁ ଦଳକୁ ନିବେଦନ କରିଥିବା ନେଇ ଏକ କାର୍ଯ୍ୟକ୍ରମରେ କହିଥିଲେ ଧର୍ମେନ୍ଦ୍ର । ତେବେ ଶେଷ ନିଷ୍ପତ୍ତି ଦଳ ନେବ ବୋଲି ସେତେବେଳେ କହିଥିଲେ ଧର୍ମେନ୍ଦ୍ର । ଏବେ ସମ୍ବଲପୁରର ସମସ୍ତ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ଏହି ଆସନରୁ ଲଢିବାକୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି । ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିଲେ ଏ ଅଞ୍ଚଳର ବିକାଶ ହେବ । କାରଣ ବିଗତ ଦିନରେ ସମ୍ବଲପୁର ଓ ପଶ୍ଚିମଓଡ଼ିଶା ପାଇଁ ଧର୍ମେନ୍ଦ୍ର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି ବୋଲି କହିଛନ୍ତି ନାଉରୀ । ଧର୍ମେନ୍ଦ୍ରଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଆମେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ଏବଂ ରାଜ୍ୟ ନେତୃତ୍ୱ ନିର୍ବାଚନ କମିଟି ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇବେ । ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନାଉରୀ ।

Spread the love