ଅପରିପକ୍ୱ ମନ୍ତବ୍ୟ ପାଇଁ ସମ୍ବଲପୁରବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ପ୍ରସନ୍ନ ଆଚାର୍ଯ୍ୟ : ନାଉରୀ ନାଏକ

ଝାରସୁଗୁଡା / ଭୁବନେଶ୍ୱର, ତା.୦୧/୦୫: ସମ୍ବଲପୁର ହିଂସାକାଣ୍ଡ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସମ୍ବଲପୁର ହିଂସାକାଣ୍ଡରେ ଅସାମାଜିକ ତତ୍ୱଙ୍କ ସଂପୃକ୍ତି ଓ ଦେଶ ବିରୋଧୀ କାର୍ଯ୍ୟକଳାପର ନିରପେକ୍ଷ ତଦନ୍ତ ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଏନଆଇଏ ତଦନ୍ତର ଆବଶ୍ୟକତା ରହିଛି । ଏଥିପାଇଁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ନିଦେ୍ର୍ଦଶରେ ଏକ ଉଚ୍ଚସ୍ତରୀୟ ବିଜେପି ସାଂସଦ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିବା ପୂର୍ବରୁ ସମ୍ବଲପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିଜେପି ଉପରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଜଣେ ପଶ୍ଚିମ ଓଡିଶାର ନେତା ହୋଇ ଏଭଳି ସ୍ପର୍ଶକାତର ବିଷୟରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏଭଳି ହାଲୁକା ମନ୍ତବ୍ୟକୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାବାସୀ କେବେ ବରଦାସ୍ତ କରିବେ ନାହିଁ । ଏଭଳି ଅପରିପକ୍ୱ ମତାମତ ପାଇଁ ସମ୍ବଲପୁରବାସୀଙ୍କ ପାଖରେ ଶ୍ରୀ ଆଚାର୍ଯ୍ୟ କ୍ଷମା ମାଗନ୍ତୁ ବୋଲି ରେଙ୍ଗାଲୀ ବିଧାୟକ ଶ୍ରୀ ନାଉରୀ ନାଏକ କହିଛନ୍ତି ।
ଆଜି ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ସମ୍ବଲପୁର ଅଂଚଳରେ ଦୀର୍ଘ ଦିନ ଧରି ହନୁମାନ ଜୟନ୍ତୀ ପାଳନ ହୋଇ ଆସୁଅଛି ଯେଉଁଥିରେ କି ଶ୍ରୀ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ଯୋଗଦାନ ଓ ଅନୁଭୁତି ରହିଛି । ଆଜି ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ରୋକାଯିବା ପାଇଁ ଯେଉଁ ପ୍ରୟାସ କରାଯାଉଛି ଏବଂ ଏହା ପରେ ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାହେଲେ ସମ୍ବଲପୁରବାସୀ ଦୀର୍ଘ ଦିନ ଧରି ପାଳନ କରିଆସୁଥିବା ହନୁମାନ ଜୟନ୍ତୀକୁ କେଉଁଠି ଓ କିପରି ପାଳନ କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଶାସକ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ମିଛ, କପୋଳକଳ୍ପିତ ତଥା ନିର୍ବାଚନକୁ ଆଖି ଆଗରେ ରଖି ଦେଇଥିବା ବିଭ୍ରାନ୍ତକାରୀ ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କଠାରୁ ଏଭଳି ହାଲୁକା ଓ ମିଛ ମନ୍ତବ୍ୟ ଆଦୈା ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଗଣ୍ଡଗାଳ ପରେ ସ୍ଥାନୀୟ ବରେଇପାଲି ଆଇଆଇସିଙ୍କ ଏଫଆଇଆରରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଘଟଣାଟି ଆକସ୍ମିକ ନଥିଲା ବରଂ ଯୋଜନାବଦ୍ଧ ଥିଲା । ଏହାକୁ ସମ୍ବଲପୁର ଏସପି ମଧ୍ୟ ସ୍ୱୀକାର କରିଛନ୍ତି । ଗଣ୍ଡଗୋଳର ଆଶଂକା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏପ୍ରିଲ ୫ ତାରିଖରେ ସମସ୍ତ ରାଜ୍ୟକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏପରିକି ରାଜ୍ୟ ସ୍ପେଶିଆଲ ବ୍ରାଂଚ ଏସପି ମଧ୍ୟ ଜିଲ୍ଲା ଏସପିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଏହା ସତ୍ୱେ ରାଜ୍ୟ ସରକାର ବା ସ୍ଥାନୀୟ ପୋଲିସ ପ୍ରଶାସନ ଆଶଂକା ପ୍ରକାଶ ପାଇଥିବା ଗଣ୍ଡଗୋଳକୁ ରୋକିବାରେ କେବଳ ବିଫଳ ହେଲେ ନାହିଁ ବରଂ ଗଣ୍ଡଗୋଳ ପରବର୍ତୀ ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଅଳ୍ପ ସଂଖ୍ୟକ ସୁରକ୍ଷା ବାହିନୀ ଅବସ୍ଥାପିତ କରାଯାଇଥିଲା କାହିଁକି ? ଜଣେ ଆଦିବାସୀ ଯୁବକର ମୃତୁ୍ୟକୁ ଲୁଚାଇବା ପାଇଁ କାହିଁକି ପ୍ରୟାସ କରାଗଲା ? ଗଣ୍ଡଗୋଳ ଭିଆଇଥିବା ୧୫୦ରୁ ଉଦ୍ଧ୍ୱର୍ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକଙ୍କ ଉପରେ କାହିଁକି ଓ କାହା ସ୍ୱାର୍ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ତାର ଜବାବ୍ ଶ୍ରୀ ଆଚାର୍ଯ୍ୟ ରଖିବା ଉଚିତ୍ ବୋଲି ଶ୍ରୀ ନାଏକ କହିଛନ୍ତି ।
ଯଦି ସମ୍ବଲପୁର ହିଂସାରେ ବିଜେପିର ସଂପୃକ୍ତି ରହିଛି, ତେବେ ଏ କଥା ହିଂସାକାଣ୍ଡ ଘଟିବାର ପର ସମୟରେ ନକରି ବିଜେପିର ସାଂସଦ ପ୍ରତିନଧି ଦଳ ଘଟଣାସ୍ଥଳକୁ ଆସିବାର ଅବ୍ୟହତି ପୂର୍ବରୁ କହି ଲୋକଙ୍କୁ କାହିଁକି ବିଭ୍ରାନ୍ତ କରାଉଛି ବିଜେଡି ? ଶ୍ରୀ ଆଚାର୍ଯ୍ୟ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କହି ଶେଷ ବେଳକୁ ବିଜେପିର ନାମ ନେବା ଏହା ପ୍ରତୀତ କରୁଛି ଯେ, ତାଙ୍କୁ ତାଙ୍କ ବିବେକ ଏହାକୁ କହିବା ପାଇଁ ବାଧା ଦେଉଥିବାବେଳେ ତାଙ୍କ ଦଳ ବିଜେପିକୁ ମିଥ୍ୟାରୋପ କରିବା ପାଇଁ ବାଧ୍ୟ କରୁଛି କି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରି ଶ୍ରୀ ଆଚାର୍ଯ୍ୟ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ପିଲାଳିଆମି । ଯଦି ତାଙ୍କ ସରକାର ବାସ୍ତବରେ ରାଜଧର୍ମ ପାଳନ କରୁଛି, ତେବେ ସମ୍ବଲପୁର ହିଂସାକାଣ୍ଡ ଓ ଅଶାନ୍ତ ପ୍ରସଙ୍ଗରେ କଣ ପାଇଁ ବିଜୁ ଜନତା ଦଳ ଆଜି ପର୍ଯ୍ୟନ୍ତ ନୀରବ ଥିଲା ଏବଂ ପ୍ରଶାସନିକ ଓ ସରକାରୀ ଅବହେଳା ବିଷୟରେ ନିଜ ଦଳୀୟ ଆତ୍ମ ସମୀକ୍ଷା ନକରି କେବଳ ରାଜନୈତିକ ବୟାନ ଦେବା ସମ୍ବଲପୁରର ଜଣେ ପୂର୍ବତନ ସାଂସଦ ଭାବେ ଶ୍ରୀ ଆଚାର୍ଯ୍ୟ ନିଜର ମାନସିକ ଦେବାଳିଆପଣର ପରିପ୍ରକାଶ କରିଛନ୍ତି । ଯଦି ସତସାହାସ ଅଛି ଦୋଷୀମାନଙ୍କୁ ତ୍ୱରିତ୍ୱ ଓ ଦୃଷ୍ଟାନ୍ତମୁଳକ ଦଣ୍ଡ ଦେବା ପାଇଁ ଏନଆଇଏର ତଦନ୍ତ ପାଇଁ ଦାବୀ କରନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love