ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟି ଓଡ଼ିଶାର ପଟ୍ଟଚିତ୍ର ଉପହାର ଦେଲେ ନବୀନ

ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କୁ ଭେଟିଲେ ନବୀନ । ପୋପ୍‌ଙ୍କୁ ଭେଟିବାରେ ନବୀନ ହେଲେ ଭାରତର କୌଣସି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଭାଟିକାନ ସିଟି ବିଶ୍ୱର ସବୁଠୁ କ୍ଷୁଦ୍ର ଦେଶ । ଜନସଂଖ୍ୟା ମାତ୍ର ୧ ହଜାର । ପୋପ୍‌ ଫ୍ରାନ୍‌ସିସ ହେଲେ ଭାଟିକାନ ସିଟିର ରାଷ୍ଟ୍ରମୁଖ୍ୟ । ଏହାଛଡ଼ା ୧୨୦ କୋଟି କ୍ୟାଥୋଲିକ୍‌ ଧର୍ମ୍ବାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା। ବିଭିନ୍ନ ସମୟରେ ରୋମ୍‌ ଗସ୍ତରେ ଥିବା ଅନେକ ରାଷ୍ଟ୍ରମୁଖ୍ୟ ପୋପ୍‌ ଫ୍ରାନ୍‌ସିସଙ୍କୁ ସାକ୍ଷାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ, ରୋମ୍‌ ଗସ୍ତ ବେଳେ ପୋପ୍‌ ଫ୍ରାନସିସ୍‌ଙ୍କୁ ସାକ୍ଷାତ ଆଲୋଚନା କରିଛନ୍ତି । ଜଳବାୟୁ ପରିବର୍ତ୍ତନ ନେଇ ପୋପ୍‌ ଫ୍ରାନ୍‌ସିସ ଗଭୀର ଉଦବେଗ ପ୍ରକାଶ କରି ଆସୁଛନ୍ତି ପୋପ୍‌ ଫ୍ରାନସିସ୍‌ । ଏବେ ବିଶ୍ୱ ପରିବେଶଜନିତ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରୁଥିବା ସେ କହି ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ଓଡ଼ିଶାକୁ ଯଥେଷ୍ଟ ପ୍ରଭାବିତ କରୁଛି । ପ୍ରତିବର୍ଷ ବାତ୍ୟା,ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ସାମ୍ନା କରି ଆସୁଛି ଓଡ଼ିଶା। ପୋପ୍‌ ଫ୍ରାନ୍‌ସିସଙ୍କ ପ୍ରତିଟି ଉଚ୍ଚାରଣ ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ। ତେଣୁ ଓଡ଼ିଶା ପରିପ୍ରେକ୍ଷୀରେ ପୋପ୍‌ ଫ୍ରାନ୍‌ସିସଙ୍କ ଆଭିମୁଖ୍ୟ ବହୁ ଗୁରୁତ୍ୱ ବହନ କରୁଛି। ଏହା ପରେ ନବୀନ ପ୍ରବାସୀ ଭାରତୀୟଙ୍କ ସହ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସ୍‌ଲିଙ୍କୁ ଭେଟିବେ ।

ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଥିବାରୁ ଏହି ସାକ୍ଷାତକୁ ଗୁରୁତ୍ୱ ମନେ କରାଯାଉଛି । ୨୦୧୭ ମାର୍ଚ୍ଚରୁ ବେସ୍‌ଲି WFPର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି । ୨୦୨୦ରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ WFPକୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର। ଏହି ପୁରସ୍କାରକୁ ଗ୍ରହଣ କରିଥିଲେ ଡେଭିଡ୍‌ ବେସଲି । ପୂର୍ବରୁ ଫେବ୍ରୁଆରୀରେ WFP କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଓଡ଼ିଶାରେ ଖାଦ୍ୟ ସୁରକ୍ଷାରେ ରୂପାନ୍ତର ଏବଂ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସଫଳ ଅନୁଭୂତି ବିଷୟରେ ଅବଗତ କରାଇବାକୁ WFP କାର୍ଯ୍ୟକ୍ରମକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲେ WFP କଣ୍ଟ୍ରି ଡାଇରେକ୍ଟର।

ଏବେ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ରୋମ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଦୁବାଇ ଗସ୍ତରେ ଯିବେ। ଜୁନ୍‌ ୨୯ ତାରିଖରେ ଦୁବାଇରେ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ । ଏହି ନିବେଶ ସମ୍ମିଳନୀକୁ ଓଡ଼ିଶା ସରକାର ଓ ଫିକି ମିଳିତ ଆୟୋଜନ କରୁଛନ୍ତି। ଗତ ୨୦ ବର୍ଷ ଭିତରେ ଓଡ଼ିଶା ପୂର୍ବ ଭାରତର ମାନୁଫାକଚ୍‌ରିଂ ହବ୍‌ ଭାବେ ଉଭା ହୋଇଛି। ଶିଳ୍ପ ବିକାଶ ପଥରେ ଦ୍ରୁତ ଭାବେ ଆଗକୁ ବଢୁଛି। ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ମାନଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ମଧ୍ୟପ୍ରାଚ୍ୟ ଓ ଦୁବାଇ ପାଖ ଅଞ୍ଚଳର ବିଜନେସ୍‌ ଲିଡର ସାମିଲ ହେବେ।.

Spread the love