ଦେଶରେ ପ୍ରଥମ ପସନ୍ଦ : @ ନବୀନ ନଂ -୧

ଭୁବନେଶ୍ୱର:  ସଫଳ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ଅପରାଜେୟ ରାଜନେତା ଭାବେ ଦେଶ ଆଜି ପୁଣି ଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଛି। ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରମାଣିତ ହୋଇଛନ୍ତି ନବୀନ ପଟ୍ଟନାୟକ। ଏବିପି ନ୍ୟୁଜ୍ ପକ୍ଷରୁ ସି-ଭୋଟର କରିଥିବା ସର୍ଭେ ରିପୋର୍ଟ ଆଧାରରେ ସାରା ଦେଶରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନମ୍ବର ୱାନ ନେତା। ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି ନବୀନ।
ମୋଟ୍ ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶ୍ରେଷ୍ଠ ୧୦ଙ୍କୁ ଏହି ସର୍ଭେରେ ବଛାଯାଇଛି। ପ୍ରଥମ ସ୍ଥାନରେ ନବୀନ ପଟ୍ଟନାୟକ ରହିଥିବାବେଳେ ଦ୍ୱିତୀୟ ଏବଂ ତୃତୀୟସ୍ଥାନରେ ଯଥାକ୍ରମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡି ରହିଛନ୍ତି। ସେହିଭଳି ତାଲିକାର ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି ଭିଜୟାନ୍, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ, ନବମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅଛନ୍ତି।

ସର୍ଭେରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ୫ ମୁଖ୍ୟମନ୍ତ୍ରୀଙ୍କର ନାମ ମଧ୍ୟ ପ୍ରକାଶ ପାଇଛି। ତାଲିକାର ୧ ନମ୍ବରରେ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ତାଙ୍କ ପଛକୁ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ୪ର୍ଥ ଏବଂ ୫ମ ସ୍ଥାନରେ ଯଥାକ୍ରମେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ରହିଛନ୍ତି।

Spread the love