ଗ୍ରାମବିକାଶ କ୍ଷେତ୍ରରେ ନବୀନ ଓଡ଼ିଶା ହେବ ପଥପ୍ରଦର୍ଶକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ବାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିରେ ଆରମ୍ଭ ହୋଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀକୁ ୯୦.୫୦କୋଟି ଟଙ୍କା ମିଳିଛି। ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀକୁ ୬୯କୋଟି ଟଙ୍କା ମିଳିଛି। ଏଥିରେ ରେଢ଼ାଖୋଲ, ରେଙ୍ଗାଲି ଓ କୁଚିଣ୍ଡାର ୯ଟି ବ୍ଲକ୍‌ର ୧୩୮ଟି ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ। ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ୫୫.୫୦କୋଟି ଟଙ୍କା ମିଳିଛି ଓ ଚିତ୍ରକୋଣ୍ଡା ଓ ମାଲକାନଗିରି ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୧୧ଟି ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପକୁ ଉଦ୍‌ଘାଟନ କରି କହିଛନ୍ତି ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ, ମା’, ଚାଷୀ ଭାଇ ଭଉଣୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ। ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡ଼ିଶାର ପରିଚୟକୁ ଆହୁରି ଉଜ୍ଜ୍ବଳ କରିବ। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମ‌କୁ ସଂଯୋଜନା କରି କହିଥିଲେ, ସମସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗକୁ ବଢ଼ିବାର ବାଟ ଖୋଲିଛନ୍ତି। ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ବଡ଼ ଉପହାର ଦେଇଛନ୍ତି। ମାଲକାନଗିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ବିଷୟରେ ଆଲୋକପାତ କରି ସେ କହିଥିଲେ, ମାଲକାନଗିରି ମୁଖ୍ୟମନ୍ତ୍ରୀ ସବୁଠାରୁ ପ୍ରିୟ। ଅନେକ ଜନକଲ୍ୟାଣକାରୀ ଯୋଜନା ଯଥା ଲକ୍ଷ୍ମୀ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପ୍ରଭୃତି ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି। ମା’ ମାନଙ୍କ ପାଇଁ ଅଧିକ ୫ ଲକ୍ଷ ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା।

ଏହାବାଦ୍ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ପରେ ଏହି ତିନିଟି ଜିଲ୍ଲାର ୯୨ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫୬.୮୧କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାଗସ୍ତ ଅବସରରେ ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ୪ଟି ନିର୍ବାଚନ ମଣ୍ଡଳୀର ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୨୯କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୧.୮୪ କୋଟି ଟଙ୍କା, ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୪.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାସନ୍ତୀ ହେମ୍ବ୍ରମ, ବିଧାୟକ ରୋହିତ ପୂଜାରୀ, ପୂର୍ଣ୍ଣଚନ୍ଦ୍ର ବକଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ତିନି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ।

Spread the love