ଇତିହାସ ରଚିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ

ପଞ୍ଚମ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ 
– ବିଜେଡ଼ିକୁ ସ୍ପଷ୍ଟ ବହୁମତ ସଙ୍କେତ
– ବିଜେପିର ମିଶନ୍ ୧୨୦ ଧୂଳିସାତ୍

ଇତିହାସ ରଚିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । କ୍ରମାଗତ ପଞ୍ଚମ ଥର ପାଇଁ ତାଙ୍କୁ ରାଜ୍ୟର ଶାସନ ଶାସନଡୋରି ଧରାଇବାକୁ ଯାଉଛନ୍ତି ଓଡ଼ିଶାବାସୀ । ୨୦୦୦ ମସିହାରେ ପ୍ରଥମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ନବୀନଙ୍କର ଚମକ ୧୯ ବର୍ଷ ପରେ ବି ମଳିନ ପଡ଼ିନି ଯାହା ଆଜିର ନିର୍ବାଚନ ଫଳାଫଳ ଟ୍ରେଣ୍ଡରୁ ସଙ୍କେତ ଆସୁଛି । ନବୀନ ଓ ତାଙ୍କ ବିଜୁ ଜନତା ଦଳ ସପକ୍ଷରେ ପୁଣି ସ୍ପଷ୍ଟ ଜନମତ ଯାଉଥିବା ସ୍ପଷ୍ଟ ହୋଇଛି ।

ଅପରାହ୍ନ ସାଢ଼େ ୩ ଟା ସୁଦ୍ଧା ମିଳିଥିବା ବିଧାନସଭା ଫଳାଫଳ ଅନୁଯାୟୀ ବିଜେଡ଼ି ୧୧୦ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୨ ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୧୨ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି । ସେଭଳି ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡ଼ି ୧୪ଟିରେ ଆଗୁଆ ଥିବା ବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଖାତା ଖୋଲିପାରିନାହିଁ ।
ଏଥିରୁ ସ୍ପଷ୍ଟ ଯେ ନିରନ୍ତର ଭାବେ ୧୯ ବର୍ଷ ଧରି ରାଜ୍ୟର କ୍ଷମତାଡୋରି ଧରିବା ପରେ ବି ନବୀନଙ୍କ ଉପରୁ ଓଡ଼ିଶାବାସୀ ଆସ୍ଥା, ବିଶ୍ୱାସ ଓ ଭଲପାଇବା ହରାଇ ନାହାନ୍ତି । ବିରୋଧୀ ଦଳର ଶକ୍ତ ଆକ୍ରମଣ ତାଙ୍କୁ ହଲାଇ ପାରିନି । ଖାଲି ଓଡ଼ିଶା କାହିଁକି, ସାରା ଦେଶରେ ନବୀନ ଏବେ ଅପ୍ରତିଦ୍ୱନ୍ଦୀ ଜନନେତା । ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଓ ଲୋକଙ୍କ ପ୍ରବଳ ଭଲ ପାଇବା ଆଗରେ ହାର୍ ମାନିଛି ବିରୋଧୀଙ୍କ ବ୍ୟଙ୍ଗ, କଟୁକ୍ତି ଓ ସମାଲୋଚନା । କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାବାସୀଙ୍କ ଆସ୍ଥା ଜିଣିବାରେ ସମର୍ଥ ହୋଇଛନ୍ତି । ନବୀନ ବ୍ରାଣ୍ଡ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଏବଂ ଜାତୀୟ କଂଗ୍ରେସ ।
ସବୁଠାରୁ ବଡ଼କଥା, ଏଥର ରାଜ୍ୟରେ ନିଶ୍ଚିତ କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ବିଜେପି ଦୁଇବର୍ଷ ତଳୁ କସରତ୍ କରିଥିଲା । ୧୨୦ ଆସନ ପାଇବେ ବୋଲି ନେତାମାନେ ଦମ୍ଭ ଧରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ଦଳର ଅଧ୍ୟକ୍ଷ ଅମିତ୍ ଶାହା ମିଶନ୍ ୧୨୦ ସ୍ୱପ୍ନ ଧରି ଓଡ଼ିଶାରେ ବ୍ୟାପକ ବୁଲିଥିଲେ । ପ୍ରଧାନମନ୍ତ୍ରୀ ମୋଦି ବି ଓଡ଼ିଶାକୁ ଫୋକସ୍ ରେ ରଖି ଦେଢ଼ମାସରେ ୧୦ ଥର ନିର୍ବାଚନ ପ୍ରଚାରରେ ଆସିଥିଲେ । ନବୀନ ସରକାରଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଆରୋପ ଆଣି ଖୋଦ୍ ମୋଦି, ଶାହା ଓ ତାଙ୍କ ଦଳର ନେତାମାନେ ତମ୍ବିତୋଫାନ କରିଥିଲେ । ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନସଫରମର ବୋଲି ଶାହା ବାରମ୍ବାର ଆକ୍ଷେପ କରି ତାଙ୍କ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ । ଖୋଦ୍ ମୋଦି ବି ଶାହାଙ୍କ କଥାରେ ପାଳି ଧରିଥିଲେ । ତେବେ ଓଡ଼ିଶାବାସୀ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନବୀନ ବ୍ରାଣ୍ଡ ଆଗରେ ମୋଦି କି ଶାହା ବ୍ରାଣ୍ଡ କାମ କରିନାହିଁ । ରାଜ୍ୟର ଶାସନଡ଼ୋରି ବିଜେପି ହାତରେ ଦେବାକୁ ଓଡ଼ିଶାବାସୀ ଉଚିତ ମନେ କରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିକଳ୍ପ ପାଇନାହାନ୍ତି ଓଡ଼ିଶାବାସୀ ।
Spread the love