ଚାଷୀଙ୍କ ପାଇଁ ଖୁସି ଖବର : ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ୨ ଶହ କୋଟିର ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ୨ଶହ କୋଟିର ସହାୟତା ଘୋଷଣା। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ମିଳିବ ସହାୟତା। ଏନେଇ ରାଜ୍ୟ ରାଜକୋଷରୁ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୧୨ଟି ଜିଲ୍ଲାରେ ୬୪ଟି ବ୍ଲକର ୨ଲକ୍ଷ ୬୩ହଜାର ୫୬୦ ହେକ୍ଟର ଜମିରେ ୩୩ପ୍ରତିଶତକରୁ ଅଧିକ ଚାଷ ନଷ୍ଟ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ବୀମା କଂପାନୀ ଠାରୁ ମରୁଡ଼ି ପ୍ରଭାବିତ ଅନେକ ଚାଷୀ ସହାୟତା ରାଶି ପାଇନାହାନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିର ପ୍ରସ୍ତାବ ସତ୍ତ୍ୱେ ଚାଷୀ ମାନଙ୍କୁ ବୀମା ରାଶି ମିଳିପାରିନାହିଁ। ସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି, ପ୍ରଭାବିତ ଚାଷୀଙ୍କ ଦାବି ଓ ଜିଲ୍ଲାପାଳଙ୍କ ଫସଲ କ୍ଷୟକ୍ଷତି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଭାବିତ ଚାଷୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବିତ ଜିଲ୍ଲାର ମରୁଡ଼ି ସଂପର୍କିତ କ୍ଷୟକ୍ଷତି ରାଶିକୁ ଜିଲ୍ଲାପାଳ ଏସଆରସିଙ୍କୁ ପ୍ରଦାନ କରିବେ। ଏହା ପରେ ରାଜ୍ୟ ସରକାର କ୍ଷୟକ୍ଷତି ରାଶି ପ୍ରଭାବିତ ଚାଷୀଙ୍କୁ ପ୍ରଦାନ କରିବେ।

Spread the love