ଚାଷୀଙ୍କ ସହ ସିଧାସଳଖ କଥାହେବେ ମୁଖ୍ୟମନ୍ତ୍ରୀ

ରାଜ୍ୟର କୋଣ ଅନୁକୋଣରେ ଥିବା ଚାଷୀଭାଇମାନଙ୍କ ସହ ଏଥର ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସେମାନେ ପାଉଛନ୍ତି ନା ନାହିଁ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ପଚାରି ବୁଝିବେ । ଥାନାକୁ ଆସୁଥିବା ଅଭିଯୋଗକାରୀ, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଭଲମନ୍ଦ ପଚାରିବା ଭଳି ଜମିରେ ଖଟୁଥିବା ଚାଷୀଙ୍କୁ ସିଧାସଳଖ ଫୋନ୍ କରି ମୁଖ୍ୟମନ୍ତ୍ରୀ କଥା ହେବେ ।
ସରକାରଙ୍କ ସହ ଲୋକଙ୍କୁ ସିଧାସଳଖ ଯୋଡୁଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ଆଜିଠାରୁ ସାମିଲ ହୋଇଛି କୃଷି ବିଭାଗ । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ । କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ.ପାଣ୍ଡିଆନ୍, କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ବିଭାଗୀୟ ଉପଦେଷ୍ଟା, ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲା ବେଳେ ଭିଡ଼ିଓ କନଫରେନସ୍ ରେ ୩୦ଟି ଯାକ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଚାଷୀମାନଙ୍କ ଅବଦାନକୁ ମନେ ପକାଇଥିଲେ । ୧୯୯୯ ମହାବାତ୍ୟା ସମୟରେ ରିଲିଫ୍ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ବର୍ତ୍ତମାନ ସେଇ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି । ଓଡ଼ିଶାକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଏସବୁର ଶ୍ରେୟ ଚାଷୀଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ ନିଜେ ବ୍ୟକ୍ତିଗତ ଭାବେ ଚାଷୀମାନଙ୍କୁ ଫୋନ୍ କରିବେ ଏବଂ ସେମାନେ ପାଉଥିବା ସେବା ସମ୍ପର୍କରେ ପଚାରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଏହା ବି ଜଣାଇ ଦେଇଥିଲେ ଯେ ସରକାରୀ ସେବା ସମ୍ପର୍କରେ ଚାଷୀଙ୍କଠାରୁ ଭଲ ଶୁଣିଲେ, ସଂପୃକ୍ତ କର୍ମଚାରୀଙ୍କୁ ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ଦିଆଯିବ ଏବଂ ଖରାପ ଶୁଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
୫ଟି ସଚିବ ଭି.କେ.ପାଣ୍ଡିଆନ୍ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ତାଙ୍କ ସ୍ୱାଗତ ଭାଷଣରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ‘ମୋ ସରକାର’ର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ 
Spread the love