ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା କଲେ ମଞ୍ଜୁର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ମାନଙ୍କର ବିକାଶ ପାଇଁ ୧୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ୱତନ୍ତ୍ର ସମସ୍ୟା ପାଣ୍ଠି(ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡସ୍‌)ରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ନିମ୍ନୋକ୍ତ ଧର୍ମାନୁଷ୍ଠାନ ମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ନିଷ୍ପତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ୱର କ୍ୟାଥଲିକ ଚର୍ଚ୍ଚକୁ ୨ କୋଟି ଟଙ୍କା ଓ ଭୁବନେଶ୍ୱର ୟୁନିକଟ୍‌-୪ କ୍ୟାପିଟାଲ ମସଜିଦକୁ ୨କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଇ-ରସୁଲ ମସଜିଦକୁ ୨କୋଟି ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର କରାଯାଇଛି ।
ସେହିପରି କେନ୍ଦ୍ରାପଡା ଫକୀରବାଦ ମରକାଜି ମସଜିଦ, ଭଦ୍ରକ ପୁରୁଣା ବଜାର ଜାମା ମସଜିଦ୍‌, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ ମସଜିଦ୍‌, ସମ୍ବଲପୁର ସେଂଟ ଯୋସେଫ୍ କ୍ୟାଥେଡ୍ରାଲ(ରୋମାନ୍ କାଥଲିକ୍‌), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍‌, ଗିରିରୋଡ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉଲକେଲା ବିଶପ ମିଶନାରୀ(ରୋମାନ କାଥଲିକ୍‌) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଟଙ୍କା ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

Spread the love