ଲାଂଚୁଆ ଅଫିସରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ୱର, ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୋଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ଜଣ ଅଧିକାରୀଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ୨ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଗତ ଅଗଷ୍ଟରୁ ଏଯାବତ୍ ୬୪ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବାବେଳେ ୧୫ଜଣଙ୍କୁ ବାଧ୍ୟମୂଳକ ଅବସର ଦିଆଯାଇଛି । ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଂଚୁଆ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି; ଓବିସିସିର ପୂର୍ବତନ ଯନ୍ତ୍ରୀ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ବଜେନ୍ଦ୍ର ନାରାୟଣ । ତାଙ୍କର ପେନସନ୍ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ସ୍ଥାୟୀ ଭାବେ ପେନସନ୍ ବନ୍ଦ କରାଯାଇଥିବା ଅନ୍ୟ ଲାଚଂଚୁଆ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ ଡିଭିଜନ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁରର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି ।

ସେହିଭଳି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ଜଣ ଅଧିକାରୀ ହେଲେ, କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନସପେକ୍ଟର ଇଶ୍ୱରୀ ପ୍ରସାଦ ପୁରୋହିତ ଏବଂସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନସପେକ୍ଟର ଅରୁଣ କୁମାର ପୁରୋହିତ । ଏହି ଦୁଇ ରାଜସ୍ୱ ବିଭାଗ ଅଧିକାରୀ ଏକାଧିକବାର ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲ ମଧ୍ୟ ଯାଇଥିଲେ ।

ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Spread the love