ଛତିଶଗଡ଼ର ମାଓବାଦୀ ହିଂସା ଘଟଣା; ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇ ଆଲର୍ଟ

ରାଉରକେଲା: ଛତିଶଗଡ ଦାନ୍ତେୱାଡା ବିସ୍ଫୋରଣରେ ୧୧ ଯବାନ ସହିଦ ଘଟଣା ପରେ ଓଡ଼ିଶା-ଛତିଶଗଡ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଉଭୟ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ସରଣ୍ଡାରେ ମାଓବାଦୀଙ୍କ କାର୍ଯ୍ୟକାଳପ ଉପରେ କଡା ନଜର ରଖାଯାଇଛି। ଅନ୍ୟପଟେ ପୁଲିସର କଡା ସୁରକ୍ଷା ସତ୍ବେ ଗତକାଲି ରାତିରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ୬ରୁ ଅଧିକ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି।

ପଶ୍ଚିମ ସିଂହଭୂମ ଜିଲ୍ଲା ଆନନ୍ଦପୁର ତିଲିଙ୍ଗଦିରିରେ ଜେସିବିକୁ ଜାଳି ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ କିନ୍ତୁ ଏହା ମାଓବାଦୀଙ୍କ କାର୍ଯ୍ୟ କି ନୁହେଁ କିଛି ସ୍ପଷ୍ଟ କରିନାହିଁ। ଗତକାଲି ବିଳମ୍ବିତରେ ପ୍ରାୟ ୬ ମାଓବାଦୀ ସଂଘବଦ୍ଧ ଭାବେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ସୁପରଭାଇଜର ରାଜକୁମାରଙ୍କୁ ସେଠାରୁ ଚାଲିଯିବାକୁ ଧମକଚମକ ଦେଇଥିଲେ। ଭୟରେ ରାଜକୁମାର ସେଠାରୁ ଚାଲିଯାଇଥିଲେ। ପରେ ମାଓବାଦୀମାନେ ଜେସିବିକୁ ନିଆଁ ଲଗାଇ ଜାଳିଦେଇଥିଲେ। ଘଟଣା ପରେ ରାସ୍ତା କାମ ବନ୍ଦ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଏହା ପୂର୍ବରୁ ମାଓବାଦୀମାନେ ସୀମାନ୍ତରେ ପଞ୍ଚାୟତ ଅଫିସକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। କେବଳ ଏତିକି ନୁହେଁ ରାସ୍ତା କାମରେ ନିୟୋଜିତ କିଛି ଗାଡ଼ିକୁ ଜାଳି ଦେଇଥିଲେ।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବା ଉଭୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ଚିନ୍ତା ବଢ଼ାଇଛି। ଛତିଶଗଡ ହିଂସା ପରେ ଗିରଫ ଭୟରେ କିଛି ମାଓବାଦୀ ଝାଡ଼ଖଣ୍ଡ ସରଣ୍ଡା ମୁହାଁ ହୋଇଥିବା ସନ୍ଦେହରେ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି। ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶାକୁ ଯାତାୟତ କରୁଥିବା ଗାଡିଗୁଡ଼ିକୁ ଯାଞ୍ଚ କରାଯିବା ସନ୍ଦେହ ହେଉଥିବା ଲୋକଙ୍କୁ ପୁଲିସ ପଚରାଉଚୁରା କରୁଛି। କେବଳ ଏତିକି ନୁହେଁ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ସରକାରଙ୍କ ଦ୍ବାରା ୧୫ ଲକ୍ଷ ଟଙ୍କା ଇନାମି ଦୁର୍ଦ୍ଦାନ୍ତ ମାଓନେତା ବିଭୀଷଣ ଓରଫ୍‌ କୁମ୍ବା ମୁର୍ମୁ ଓରଫ୍‌ ମୋଛୁର ଉପସ୍ଥିତି ଦେଖିବାକୁ ମିଳିଛି। ସରଣ୍ଡା ଜଙ୍ଗଲ ଭିତରେ ଥିବା ଲିପୁଙ୍ଗା ଅଞ୍ଚଳରେ ମୋଛୁ ଓ ତା’ର ସହଯୋଗୀଙ୍କୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।

ଏନେଇ ପ୍ରଚାରିତ ହେବାପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଗତ ଶନିବା ରାତିରେ ଦୁର୍ଦ୍ଦାନ୍ତ ମୋଛ ତା’ର ପାଖାପାଖି ୧୦ ଜଣ ସଶସ୍ତ୍ର ସହଯୋଗୀଙ୍କ ସହ ଲିପୁଙ୍ଗା ଅଞ୍ଚଳରେ ବୁଲୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହି ଗ୍ରାମବାସୀ ପୂର୍ବରୁ ଏକାଧିକବାର ମାଓ ଆତଙ୍କରେ ଅତିଷ୍ଠ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଲିପୁଙ୍ଗାର କିଛି ପୁରୁଷ ଓ ମହିଳା ପୂର୍ବରୁ ନକ୍ସଲ ସଂଗଠନ ସହିତ ଜଡ଼ିତ ଥିଲେ। କିଛି ବର୍ଷ ପୂର୍ବେ ଏହି ଗାଁର ମହିଳା ମାଓବାଦୀ ସୁଜାତା ଓରଫ୍‌ ସୁନିକାଙ୍କ ସମେତ ଅନ୍ୟ ଦୁଇ ଜଣ ପୁଲିସ ଏନ୍‌କାଉଣ୍ଟର୍‌ରେ ମୃତ୍ୟୁବରଣ କରିଥିଲେ। ପ୍ରାୟ ଦୁଇ ବର୍ଷ ଉଭାନ ହୋଇଯାଇଥିବା ମୋଛୁର ପ୍ରତ୍ୟାବର୍ତ୍ତନ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମାଓନେତା ମୋଛୁର ଅପରାଧିକ ତାଲିକା ବେଶ୍‌ ଲମ୍ବା। ତା’ ନାଁରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡରେ ଏକାଧିକ ମାମଲା ରହିଛି। ମୋଛୁ ଦୀର୍ଘ ବର୍ଷ ହେଲା ବେଶ୍‌ ମାଓ କାର୍ଯ୍ୟକଳାପରେ ସକ୍ରିୟ ରହିଛି। ୨୦୧୦ ମସିହା ଆଡ଼କୁ ସେ ସମର୍‌ଜୀଙ୍କ ସହ ରହୁଥିଲା। ସମର୍‌ଜୀ ସହ ଏକାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି।

Spread the love