ନୟାଗଡ ଜିଲ୍ଲା ଓଡଗାଁରେ ଧାନ କିଣାରେ ହୋଇଛି ବ୍ୟାପକ କେଳେଙ୍କାରୀ :ବିଜେପି

ଭୁବନେଶ୍ୱର,୧୩/୦୩: ସାରା ରାଜ୍ୟରେ ଧାନକିଣା ଏବଂ ଟୋକନ ବ୍ୟବସ୍ଥାରେ ଅନିୟମିତତା ଦେଖାଦେଇଥିବା  ବେଳେ ଖୋଦ୍ କୃଷିମନ୍ତ୍ରୀଙ୍କ ନିଜ ଅଂଚଳର ଧାନ ମଣ୍ଡିରେ ତାଲା ଝୁଲିଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଣ୍ଡି ଗୁଡିକରେ  ବ୍ୟାପକ ଜାଲିଆତି ଏବଂ ଦୁର୍ନୀତି ହେବାର ପ୍ରମାଣ ମିଳିଛି । ଓଡଗାଁ ବ୍ଲକ ପାଣ୍ଡେରିପଡା ଧାନମଣ୍ଡିରେ ବ୍ୟାପକ କେଳେଙ୍କାରୀ ହେବା ପରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କ ସମସ୍ୟା ପଚାରି ବୁଝିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପାଣ୍ଡେରିପଡା ସେବା ସମବାୟ ସମିତିରୁ ନିର୍ବାଚିତ ହୋଇ ଲୋକନାଥ ସାହୁ କେନ୍ଦ୍ର ସମବାୟ
ବ୍ୟାଙ୍କ ର ସଭାପତି ହୋଇଛନ୍ତି । ଏହା ସତ୍ୱେ ବି ତାଙ୍କ ନିଜ ସମବାୟ ସମିତି ରେ ଧାନ କିଣା ହୋଇ ପାରୁନାହିଁ ଏବଂ ମଣ୍ଡିରେ ତାଲା ପଡିଛି । ଧାନମଣ୍ଡି ଗୁଡିକ ଦଲାଲ ମାନଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ଅଜ୍ଞାତ ସ୍ଥାନରେ ଚାଲୁଛି । ସ୍ଥାନୀୟ ଅଂଚଳର ଜନ ପ୍ରତିନିଧୀଙ୍କ ସଂପର୍କୀୟ ଦଶପଲ୍ଲା ଅଂଚଳର ଆଦିବାସୀ ଓ ହରିଜନ ସଂପ୍ରଦାୟର ସଂପର୍କୀୟ ଦେଖାଇ ତାଙ୍କ ଚାଷ ଜମିକୁ ମଣ୍ଡିରେ ଅନୁବନ୍ଦିତ କରାଇ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା କରାଯାଉଛି । ବ୍ୟାଙ୍କ ଖାତାଧାରୀଙ୍କ ଅଜାଣତରେ ରାଷ୍ଟ୍ରାୟତ ବ୍ୟାଙ୍କରେ ଖାତା ଖୋଲି ଲକ୍ଷ ଲକ୍ଷ ଟଙ୍କା ଜମା ଏବଂ ଉଠାଣ ହୋଇଛି ।

ପାହାଡିଆ, ଆମ୍ବତୋଟା ଆଦି କିସମ ଜମିକୁ ଶାରଦ ଜଳସେଚିତ ଦେଖାଇ ଡାଟା ଏଂଟ୍ରି କରି ବେପାରୀମାନଙ୍କ ଧାନ କିଆ
ହୋଇଛି । ଗାଁ ଗାଁ ବୁଲି ଦଲାଲମାନେ ବେପାରୀ ଲଗାଇ ଧାନ କିଣୁଛନ୍ତି ଏବଂ ଉକ୍ତ ଧାନକୁ ଅଜ୍ଞାତ ସ୍ଥାନରେ ମଣ୍ଡି ଖୋଲି ମିଥ୍ୟା
କାଗଜପତ୍ର କରି ବିକ୍ରି କରୁଛନ୍ତି । ଏପରି ଅବସ୍ଥାରେ ଶହ ଶହ ଚାଷୀ ଧାନ ବିକ୍ରି କରିପାରୁ ନାହାଁନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ରହିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ସେହିପରି ନୟାଗଡ ଜିଲ୍ଲାର କୁରାଳ ସମବାୟ ସମିତିରେ ଚାଷୀ ଏବଂ ସ୍ଥାନୀୟ ଜନସାଧାରଣଙ୍କର ୫ କୋଟି ୪୦ ଲକ୍ଷ ଜମା ଟଙ୍କା ହଡପ ଘଟଣା ମଧ୍ୟ ବିଜେପି କୃଷକମୋର୍ଚ୍ଚା ପ୍ରତିନିଧୀ ମଣ୍ଡଳୀ ଜାଣିବାକୁ ପାଇଥିଲେ ।

ଏହା ବିରୁଦ୍ଧରେ ଆଗାମୀ ଦିନରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା ଓ ଶ୍ରୀରଂଜନ ମଙ୍ଗରାଜ, ନାୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ରାଜ୍ୟ ସଂଯୋଜକ ବିଶ୍ୱଜିତ ସ୍ୱାଇଁ, ଜନ୍ମେଜୟ ଜେନା, ଅଜୟ ପ୍ରଧାନ, ଶ୍ରୀନିବାସ ପ୍ରଧାନଙ୍କ ସମେତ ସ୍ଥାନୀୟ ମୋର୍ଚ୍ଚା ପଦାଧିକାରୀ ପ୍ରମୁଖ ସାମିଲ ଥିଲେ ।

Spread the love