ଡିଗ୍ରୀ ନୁହେଁ, ମୋଦୀଙ୍କ କରିସ୍ମା ହିଁ ତାଙ୍କୁ ଜିତାଇଛି: ଏନସିପି ନେତା

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର କହିଛନ୍ତି ଯେ ମନ୍ତ୍ରୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ। ଜଣେ ନେତା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଯାହା ହାସଲ କରିଛନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ୍ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ଏକ ସାଧାରଣ ସଭାରେ ଅଜିତ ପାୱାର କହିଛନ୍ତି, ‘୨୦୧୪ ମସିହାରେ, ତାଙ୍କ ଡିଗ୍ରୀ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନସାଧାରଣ ଭୋଟ୍ ଦେଇଥିଲେ କି? ମୋଦୀଙ୍କର ଯେଉଁ କରିସ୍ମା ଥିଲା, ତାହା ତାଙ୍କୁ ସାହାଯ୍ୟ କରିଥିଲା ଏବଂ ସେ ନିର୍ବାଚନରେ ​​ଜିତିଥିଲେ। ”

ସେ କହିଛନ୍ତି, “ମୋଦୀ ବର୍ତ୍ତମାନ ନଅ ବର୍ଷ ଧରି ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ଡିଗ୍ରୀ ବିଷୟରେ ପଚାରିବା ଠିକ୍ ନୁହେଁ। ଦରବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗରେ ଆମେ ତାଙ୍କୁ ପ୍ରଶ୍ନ କରିବା ଉଚିତ। ମନ୍ତ୍ରୀଙ୍କ ଡିଗ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ।” ସେ ଆହୁରି କହିଛନ୍ତି, “ଯଦି ଆମେ ମୋଦୀଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇବା, ତେବେ ଦରବୃଦ୍ଧି ହ୍ରାସ ପାଇବ କି? ଲୋକମାନେ ମୋଦୀଙ୍କର ଡିଗ୍ରୀ ବାବଦରେ ଜାଣିବା ପରେ ଚାକିରି ପାଇବେ କି?” ସୂଚନାଯୋଗ୍ୟ, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକଙ୍କୁ ବଡ଼ ଝଟକା ଲାଗିଥିଲା । ଗତ ଶୁକ୍ରବାର ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ର ସାତ ବର୍ଷ ପୁରୁଣା ଆଦେଶକୁ ଖାରଜ କରି ଦେଇଥିଲେ, ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ଏହା ବିରୋଧରେ ବିଶ୍ବବିଦ୍ୟାଳୟ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲା । ଏହି ରାୟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟୁଇଟ କରି ଲେଖିଥିଲେ ଯେ, ” ପ୍ରଧାନମନ୍ତ୍ରୀ କେତେ ପଢିଛନ୍ତି ତାହା ଜାଣିବାର ଅଧିକାର କ’ଣ ଦେଶର ନାହିଁ? ଅଦାଲତରେ ସେମାନେ ଡିଗ୍ରୀ ଦେଖାଯିବାକୁ ତୀବ୍ର ବିରୋଧ କରିଥିଲେ, କାହିଁକି? ଏବଂ ଯେଉଁମାନେ ସେମାନଙ୍କ ଡିଗ୍ରୀ ଦେଖିବାକୁ ଦାବି କରିବେ ସେମାନଙ୍କୁ ଜରିମାନା କରାଯିବ କି? କ’ଣ ଚାଲିଛି?”

Spread the love