ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ: ଓଡ଼ିଶାରେ ବଢ଼ୁଛି ଅପରାଧିକ ମାମଲା

ଭୁବନେଶ୍ବର: ୨୦୨୨ ଏନସିଆରବି ରିପୋର୍ଟ ପ୍ରକାଶ ପାଇଛି। ୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି। ତେବେ ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ଚିନ୍ତା ବଢ଼ାଇଛି। ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ସାଇବର ଅପରାଧ ୨୪.୪% ବଢ଼ିଥିବା ବେଳେ ଅର୍ଥନୈତିକ ଅପରାଧ ୧୧.୧%, ଦୁର୍ନୀତି ୧୦.୫% ବଢ଼ିଛି। ଓଡ଼ିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି।୨୦୨୨ରେ ରାଜ୍ୟରେ ୧ ହଜାର ୩୭୯ ହତ୍ୟା ମାମଲାରେ ୧ ହଜାର ୪୦୨ ଜଣଙ୍କର ମୃତ୍ୟୁ ହୋଇଛି। ଏନସିଆରବି ରିପୋର୍ଟ କହୁଛି, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି। ଏହି ସମୟରେ ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୨ରେ ରାଜ୍ୟରେ ୭ ହଜାର ୩୨୭ଟି ମହିଳା ଅସଦାଚରଣ ମାମଲା ହୋଇଛି।ରାଜ୍ୟରେ ଯୌତୁକଜନିତ ୨୬୩ ମାମଲା ହୋଇଛି।

ଯଦିଓ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ କମିଛି, ତଥାପି ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା। ୨୦୨୧ରେ ରାଜ୍ୟରେ ୩୧ ହଜାର ୩୫୨ ମହିଳା ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହା ୨୩ ହଜାର ୬୪୮କୁ ଖସି ଆସିଛି। ୨୦୨୨ରେ ରାଜ୍ୟରେ ୧୪ଟି ଧର୍ଷଣ ସହ ହତ୍ୟା ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଚତୁର୍ଥ ସର୍ବାଧିକ। ଏଣେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବଢ଼ୁଛି। ୨୦୨୧ରେ ରାଜ୍ୟରେ ୭ ହଜାର ୮୯୯ଟି ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ ହଜାର ୨୪୦ରେ ପହଞ୍ଚିଛି।

 
Spread the love