ଚୀନ ସୈନ୍ୟ ପୋଷ୍ଟରେ ପହଞ୍ଚିଯାଇଥିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସଂପର୍କରେ ଆଉ କିଛି ତଥ୍ୟ ସାମନାକୁ ଆସିଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନ ସୈନ୍ୟଙ୍କ ଏହି ଅନୁପ୍ରବେଶ ସଂପର୍କରେ ଭାରତୀୟ ସେନା ପୂର୍ବରୁ ସୂଚନା ପାଇସାରିଥିଲା । ଏଥିପାଇଁ ଭାରତୀୟ ସେନା ପୂର୍ବରୁ ହିଁ ପ୍ରସ୍ତୁତ ଥିଲା । ଚୀନ ସେନାଙ୍କୁ ଚକମା ଦେବାକୁ ସୀମା ନିକଟରେ ଅଳ୍ପକିଛି ଭାରତୀୟ ସୈନ୍ୟ ମୁତୟନ ଥିଲେ । କିନ୍ତୁ ଅଳ୍ପକିଛି ଦୂରରେ ଅଧିକ ସଂଖ୍ୟକ ଭାରତୀୟ ସୈନ୍ୟ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହୋଇରହିଥିଲେ ।

୯ ତାରିଖ ଦିନ ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ । ଏହି ସମୟରେ ଖବର ପାଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ଚୀନ ସୈନ୍ୟଙ୍କୁ ଘେରିଯାଇଥିଲେ । ଏହି ହାତାହାତି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି । କିନ୍ତୁ ଚୀନ ପକ୍ଷ ଅଧିକ କ୍ଷତି ସହିଥିବା କୁହାଯାଉଛି । ଏପରିକି ଭାରତୀୟ ସେନାଙ୍କ ଆକ୍ରମଣର ସାମନା କରି ନପାରି ଚୀନ ସୈନ୍ୟ ପଛଘୁଞ୍ଚା ଦେଉଥିବାବେଳେ ଭାରତୀୟ ସୈନ୍ୟ ତାଙ୍କୁ ଗୋଡ଼ାଇ ଚୀନ ସୈନ୍ୟପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ଏହା ପରେ ଉଭୟ ପକ୍ଷରୁ ଲାଉଡସ୍ପିକର ମାଧ୍ୟମରେ ପରସ୍ପରକୁ ଚେତାବନୀ ଦେଇ ନିଜ ନିଜର ପୂର୍ବ ସ୍ଥିତିକୁ ଫେରିଯାଇଥିଲେ । ଏହା ପରେ ୧୧ ତାରିଖ ଦିନ ଦୁଇ ସେନା ମଧ୍ୟରେ ଫ୍ଲାଗ ମିଟିଂ ହୋଇ ସ୍ଥିତିକୁ ସ୍ବାଭାବିକ କରାଯାଇଥିଲା ।

Spread the love