ଚୀନରେ କରୋନାକୁ ନେଇ ପୁଣି ହଇଚଇ, ଦୁନିଆର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି ଆଖପାଖରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ (୦୨/୧୧): ଚୀନରେ ପୁଣି ଥରେ କରୋନା ବିସ୍ଫୋରଣ ଦେଖିବାକୁ ମିଳୁଛି। ସଂକ୍ରମଣ ଯୋଗୁଁ ଅନେକ ସ୍ଥାନରେ ଲକଡାଉନ ମଧ୍ୟ ଜାରି କରାଯାଉଛି। ଏହାରି ମଧ୍ୟରେ ଦୁନିଆର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି ନିକଟବର୍ତ୍ତୀ ଅଞ୍ଚଳରେ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ୍ ଜାରି କରାଯାଇଛି। ଚୀନରେ ଦୁନିଆର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି ‘ଆଇଫୋନ୍ ସିଟି’ ନିକଟରେ ଲକଡାଉନ ଲଗାଯାଇଛି। ଏହି ଅଞ୍ଚଳରେ ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ ଗତିବିଧି ଉପରେ ପ୍ରତିବନ୍ଧକ ରହିଛି।

ରିପୋର୍ଟ ଅନୁଯାୟୀ, ଚୀନ ଅଧିକାରୀ ବୁଧବାର ଦୁନିଆର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି ନିକଟବର୍ତ୍ତୀ ଅଞ୍ଚଳରେ ନଭେମ୍ବର ୯ ପର୍ଯ୍ୟନ୍ତ ଲକଡାଉନ ଲଗାଇଛନ୍ତି। ଆଉ ଏପରି କରିବାର କାରଣ କୁହାଯାଉଛି ଯେ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକମାନେ ଭାଇରସ ପ୍ରକୋପ ଏବଂ କଡ଼ା ପ୍ରତିବନ୍ଧକ ଠାରୁ ବର୍ତ୍ତିବା ପାଇଁ ସେଠାରୁ ପଳାୟନ କରୁଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଉଛି ଯେ ଏହାଦ୍ବାରା ଆଇଫୋନ୍‌ର ଯୋଗାଣ ପ୍ରଭାବିତ ହୋଇପାରେ।

ତେବେ ଏହି ଲକଡାଉନ ଅବଧି ମଧ୍ୟରେ କେବଳ ମେଡିକାଲ ଇମରଜେନ୍ସୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯିବାର ଅନୁମତି ରହିଛି। ଏହା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧି ଉପରେ ପ୍ରତିବନ୍ଧକ ରହିଛି। ଦିଗ୍ଗଜ ଫୋନ୍ ନିର୍ମାତା ଆପ୍ପଲ ଚୀନର ଝୋଙ୍ଗଝାଉ ସ୍ଥିତ ଆଇଫୋନ୍ ଫ୍ୟାକ୍ଟ୍ରିରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ କର୍ମଚାରୀମାନେ ଉତ୍ପାଦନରୁ ନିଜକୁ ଅଲଗା ରଖିଛନ୍ତି। ଝୋଙ୍ଗଝାଉ ସ୍ଥିତ ଏହି କାରଖାନାରେ ଆପ୍ପଲର ସବୁଠୁ ଲୋକପ୍ରିୟ ଉତ୍ପାଦନ କେନ୍ଦ୍ର। ପ୍ରାୟ ୨ ଲକ୍ଷ କର୍ମଚାରୀ ଏଠାରେ କାମ କରୁଛନ୍ତି।

ଜଣେ କର୍ମଚାରୀଙ୍କ ଅନୁଯାୟୀ, କାରଖାନାର ଆସେମ୍ବଲି ଲାଇନ୍ସରେ ନିୟୋଜିତ କର୍ମଚାରୀଙ୍କୁ ଲଗାତାର ସଂକ୍ରମିତ ହେବା ନେଇ ଖବର ଆସୁଛି। ଏଭଳି ସ୍ଥିତିରେ କର୍ମଚାରୀ ନିଜ ଜୀବନ ରକ୍ଷା ପାଇଁ ଆତଙ୍କିତ ହେଉଛନ୍ତି ଏବଂ ଉତ୍ପାଦନ କାର୍ଯ୍ୟ ଛାଡ଼ି ଯିବାକୁ କହୁଛନ୍ତି। ତେବେ ସ୍ପଷ୍ଟ ହୋଇନାହିଁ ଯେ କାରଖାନାରୁ କେତେ କର୍ମଚାରୀ ଛାଡ଼ୁଛନ୍ତି। କୁହାଯାଉଛି ପ୍ରାୟ ୧ ଲକ୍ଷ କର୍ମଚାରୀ ଫ୍ୟାକ୍ଟ୍ରି ଛାଡ଼ିଛନ୍ତି।

Spread the love