ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି, ନାଁରେ ନାହିଁ: ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପ୍ରସଙ୍ଗରେ କହିଲେ ରାହୁଲ୍‌

ନୂଆଦିଲ୍ଲୀ: କେବଳ ନାଁ ପାଇଁ ନୁହେଁ କାମ ପାଇଁ ନେହେରୁ ସୁପରିଚିତ ବୋଲି ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି, ତାଙ୍କ ନାଁରେ ନାହିଁ। ‘ନେହେରୁ ସଂଗ୍ରହାଳୟ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ’ କରାଯିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ କଥା କଟାକଟି ହେବାର ଦିନକ ପରେ ରାହୁଲ୍‌ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। କଂ‌ଗ୍ରେସ କହିଛି ‘ବିଜେପି’ ‘ଏନ୍‌’କୁ ପରିବର୍ତ୍ତନ କରି ‘ପି’ କରିବାର ଅର୍ଥ ହେଲା ଦଳର ‘ପେଟିନେସ୍‌ ଆଣ୍ଡ୍‌ ପିଇଭ୍‌’ (ହୀନମନ୍ୟତା ଓ ଅ‌ସନ୍ତୋଷ)। ଏହାର ପ୍ରତ୍ୟୁତ୍ତର ଦେଇ ‘ବିଜେପି’ କହିଛି ଯେ, ‘ଦରବାରୀମାନେ ବିଳାପ’ (ରାଜଦରବାରର ଲୋକମାନେ କାନ୍ଦୁଛନ୍ତି) କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୪ ତାରିଖରୁ ‘ଦି ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଆଣ୍ଡ୍‌ ଲାଇବ୍ରେରି’କୁ ଆନୁଷ୍ଠାନିକ ଭାବେ ‘ଦି ପ୍ରାଇମ୍‌ମିନିଷ୍ଟର୍ସ ମ୍ୟୁଜିୟମ୍‌ ଆଣ୍ଡ୍‌ ଲାଇବ୍ରେରି ସୋସାଇଟି’ ଭାବେ ପୁନଃନାମିତ କରାଯାଇଛି। ପୁନଃନାମକରଣକୁ ସମର୍ଥନ କରି ‘ବିଜେପି’ କହିଛି ନେହେରୁଙ୍କ ଉପରୁ ଧ୍ୟାନ ହଟାଇ ଏହି ସଂଗ୍ରାହାଳୟ ବର୍ତ୍ତମାନ ସବୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଲୋକପାତ କରୁଛି। କିନ୍ତୁ, ନେହେରୁ ସଂଗ୍ରାହାଳୟରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ସ୍ଥାନ ନ ଥିଲା।

Spread the love