ମୋବାଇଲ୍ରେ ଚୀନ-ଆମେରିକାଠୁ ଅଧିକ ସମୟ ନଷ୍ଟ କରୁଛନ୍ତି ଭାରତୀୟ: ରିପୋର୍ଟ
ନୂଆଦିଲ୍ଲୀ ୧୪/୧୧: ଦୁନିଆର ସବୁଠୁ ଶସ୍ତା ଇଣ୍ଟରନେଟ୍ ଡାଟା ଭାରତରେ ମିଳୁଛି। ୨୦୨୧ରେ ଭାରତରେ ୧ ଜିବି ଡାଟା ପାଇଁ ଟେଲିକମ୍ କମ୍ପାନୀ କେବଳ ୧୦.୯୩ ଟଙ୍କା ଚାର୍ଜ କରୁଛନ୍ତି । ଯାହାକି ବିଶ୍ବର ଯେକୌଣସି ଦେଶଠୁ ବହୁତ କମ୍। କିନ୍ତୁ ୨୦୧୪ ପୂର୍ବରୁ ଭାରତରେ ଏକ ଜିବି ଡାଟା ପାଇଁ ୨୬୯ ଟଙ୍କା ଦେବାକୁ ପଡ଼ୁଥିଲା । ଗତ ୬ ବର୍ଷ ମଧ୍ୟରେ ଦେଶରେ ଇଣ୍ଟରନେଟ୍ ଡାଟା ଦାମ ପାଖାପାଖି ୯୬ ପ୍ରତିଶତ ହ୍ରାସ ହୋଇଛି। ବର୍ତ୍ତମାନ ସମୟରେ ଏକ ଜିବି ଡାଟାର ମୂଲ୍ୟ ଏକ କେଜି ଅଟାଠୁ ବି ଶସ୍ତା। ସେଥିପାଇଁ ଭାରତୀୟମାନେ ଇଣ୍ଟରନେଟ ଏବଂ ମୋବାଇଲ୍ ବହୁତ ଅଧିକ ବ୍ୟବହାର କରୁଛନ୍ତି ।
ମୋବାଇଲ୍ ଡାଟା ଆନାଲିଟିକ୍ସ ପ୍ଲାଟଫର୍ମ App Annieର ମୋବାଇଲ୍ ମାର୍କେଟ ସ୍ପଟଲାଇଟ୍ ରିପୋର୍ଟ ୨୦୨୧ ଅନୁସାରେ, ଶସ୍ତା ମୋବାଇଲ୍ ଇଣ୍ଟରନେଟ୍ ଡାଟା ଏବଂ କଲିଂ ପାଇଁ ଅଧିକରୁ ଅଧିକ ଭାରତୀୟ ଇଣ୍ଟରନେଟ୍ ସହ ଯୋଡ଼ି ହେଉଛନ୍ତି। ମୋବାଇଲ ସହ ଦେଶବାସୀ ବହୁ ସମୟ ବିତାଉଛନ୍ତି। ମୋବାଇଲ ବ୍ୟବହାର ମାମଲାରେ ଭାରତ ଚୀନ ଏବଂ ଆମେରିକା ଭଳି ଦେଶକୁ ପଛରେ ପକାଇଦେଇଛି। ରିପୋର୍ଟ ଅନୁସାରେ, ୨୦୨୧ର ତୃତୀୟ ତ୍ରୈମାସିକରେ ଭାରତର ପ୍ରତି ବ୍ୟକ୍ତି ଗୋଟିଏ ଦିନରେ ହାରାହାରି ୪.୬ ଘଣ୍ଟା ନିଜ ସ୍ମାର୍ଟଫୋନ୍ରେ ସାରୁଛନ୍ତି। ୨୦୧୯ରେ ଭାରତୀ ଦିନରେ ୩.୩ ଘଣ୍ଟା ମୋବାଇଲ୍ରେ ବିତାଉଥିଲେ । ଏଥିରୁ ଜଣାପଡ଼ିଛି ଯେ ଏଥିରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି।
ଭାରତୀୟମାନେ ସବୁଠୁ ଅଧିକ ୟୁଟ୍ୟୁବ, ହ୍ବାଟସଆପ୍, ମେସେଞ୍ଜର ଏବଂ ଫେସ୍ବୁକ୍ ବ୍ୟବହାର କରୁଛନ୍ତି। ୨୦୨୦ରେ ଦେଶବାସୀ ୬୫,୧୦୦ କୋଟି ଘଣ୍ଟା ମୋବାଇଲ ଆପ୍ସ ଏବଂ ଗେମିଂରେ ବରବାଦ କରିଛନ୍ତି। ଏରିକ୍ସନ ମୋବିଲିଟି ରିପୋର୍ଟ ଅନୁସାରେ, ୨୦୧୯ରେ ପ୍ରତି ଭାରତୀୟ ଗୋଟିଏ ମାସରେ ହାରାହାରି ୧୩ ଜିବି ଡାଟା ଖର୍ଚ୍ଚ କରୁଥିବା ବେଳେ ୨୦୨୦ରେ ଏହା ବଢ଼ି ୧୪.୬ ଜିବି ହୋଇଥିଲା । ତେବେ ଏହି ସବୁ ଡାଟା ଆହୁରି ବୃଦ୍ଧି ହେବାକୁ ଯାଉଛି। ଭାରତରେ ଏବେ ବି ଫିଚର ଫୋନ୍ ଏବଂ ୨ ଜି ନେଟଓ୍ବର୍କର ବ୍ୟବହାର ହେଉଛି। ଶସ୍ତା ସ୍ମାର୍ଟଫୋନ୍ ବଜାରକୁ ଆସୁଥିବା ବେଳେ ଲୋକେ ଖୁବଶୀଘ୍ର ଏହାର ବ୍ୟବହାର କରିବା ଆରମ୍ଭ କରିଦେବେ।
ଯାହା ଫଳରେ ଏମିତି ଏକ ସମୟ ଆସିବ ଭାରତରେ ୨ଜି ଇଣ୍ଟରନେଟ ବ୍ୟବହାର ହେବ ନାହିଁ। ଏହି ଲକ୍ଷ୍ୟ ନେଇ ରିଲାଏନ୍ସ କମ୍ପାନୀ ଜିଓ ଫୋନ୍ ନେକ୍ସଟ୍ ମଧ୍ୟ ଲଞ୍ଚ କରିଛି। ସେପଟେ ଭାରତରେ ୫ଜି ସେବା ମଧ୍ୟ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୨୧ର ପ୍ରଥମ ତ୍ରୈମାସିକରେ ଗେମିଂ ଆପ୍ ଡାଉନଲୋଡ୍ ମାମଲାରେ ଭାରତ ସବୁଠୁ ଆଗରେ ରହିଛି। ଏହି ସମୟରେ ଭାରତରେ ୪୮୦ କୋଟି ଗେମିଂ ଆପ୍ ଡାଉନଲୋଡ୍ କରାଯାଇଛି।
ଭାରତ- ୪.୮ ବିଲିୟନ୍
ଆମେରିକା- ୨.୩ ବିଲିୟନ୍
ବ୍ରାଜିଲ୍- ୨.୧ ବିଲିୟନ୍
ଇଣ୍ଡୋନେସିଆ- ୧.୭ ବିଲିୟନ୍
ରୁଷ- ୧.୩ ବିଲିୟନ୍