ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୁରଣ କରିବା ମୋର ପ୍ରାଥମିକତା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

_ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ_

ଭୁବନେଶ୍ୱର : ଓଡିଶାବାସିଙ୍କ ପୂର୍ଣ୍ଣ ଜନମତ ହାସଲ କରି ପ୍ରଥମ ଥର ପାଇଁ ଏକାକୀ ବିଜେପି ରାଜ୍ୟରେ ସରକାର ଗଠନ କରିଛି । ଶପଥ ଗ୍ରହଣ ଦିନଠାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସହ ମିଶି ସୁଖ ଦୁଖର ସାଥୀ ସାଜିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଆଣିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଶପଥ ଓ ଦାୟୀତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ସାଧାରଣ କାର୍ଯ୍ୟକର୍ତାଠାରୁ ଆରମ୍ଭ କରି ଦଳୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀଗଣ ଓ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।
ଦଳୀୟ ବୈଠକରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଗ୍ରହଣ କରିବା ସହିତ ସେମାନଙ୍କ ଅଭିଯୋଗ ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ବାସ୍ତବରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ପଡିଥିଲା ଏବଂ ସାଧାରଣ ଲୋକଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲା କି କୈାଣସି ଅଭିଯୋଗ କରିବା ସମ୍ଭବ ହେଉନଥିଲା । ସରକାର ପରିବର୍ତନ ହେବା ପରେ ସାଧାରଣ ଜନତା ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଭେଟ ହୋଇ କଥାବାର୍ତା ହେଉଛନ୍ତି ଏବଂ ଅଭିଯୋଗ ଉପସ୍ଥାପନ କରୁଛନ୍ତି । ପ୍ରତ୍ୟେକ ଅଭିଯୋଗକୁ ଶୁଣି ତାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୁରଣ କରିବା ମୋର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ କହିଛନ୍ତି ।

Spread the love