ନୂଆ ନିବେଶ 14ବର୍ଷରେ ସବୁଠୁ କମ୍

ଭାରତକୁ ନୂଆ ନିବେଶ ପ୍ରସ୍ତାବ ଆସିବା ବହୁତ କମିଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତରଫରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା କୁହାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, 2018-19ରେ ଭାରତକୁ 9.5 ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ପ୍ରସ୍ତାବ ଆସିଥିଲା ଯାହା 2004-5 ପରେ ସବୁଠୁ କମ୍। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ନୂଆ ନିବେଶ ପ୍ରସ୍ତାବ ସଂଖ୍ୟା ହ୍ରାସ ପାଇଛି। 2015-16 ପରଠାରୁ ଏହି ଧାରା ଆରମ୍ଭ ହୋଇଥିଲା ଯାହା ଏବେବି ଜାରି ରହିଛି। 2006-07 ରୁ 2010-11 ପର୍ଯ୍ୟନ୍ତ ଦେଶକୁ ବିପୁଳ ପରିମାଣର ନୂଆ ନିବେଶ ପ୍ରସ୍ତାବ ଆସିଥିଲା। ସେହି ସମୟରେ ବର୍ଷକୁ ହାରାହାରି 25 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସୁଥିଲା।

2013-14ରେ ସେଥିରେ ହଠାତ୍‌ ବଡ଼ ଧରଣର ହ୍ରାସ ହୋଇଥିଲା ଏବଂ ସେହି ବର୍ଷ 10 ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। 2014-15ରେ ସ୍ଥିତିରେ ସୁଧାର ହୋଇଥିଲା ଏବଂ ସେହି ବର୍ଷ 21 ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏହାର ପରବର୍ତି ବର୍ଷ ଠାରୁ ସ୍ଥିତିରେ ଆଉ ସୁଧାର ହୋଇନାହିଁ। 2018-19ରେ ଘରୋଇ କ୍ଷେତ୍ର ପାଇଁ ଆସୁଥିବା ନିବେଶ ପ୍ରସ୍ତାବରେ 67.5% ବୃଦ୍ଧି ହୋଇଛି। କିନ୍ତୁ ବିଡ଼ମ୍ବନାର ବି‌ଷୟ ହେଉଛି ସେଥି ମଧ୍ୟରୁ ଏକ ପଞ୍ଚାମାଂଶ ପ୍ରକଳ୍ପ ଅଟକି ରହିଛି। ଯେତିକି ନୂତନ ପ୍ରସ୍ତାବ ଆସିଛି ସେଥି ମଧ୍ୟରୁ 33% ମାନୁଫାକ୍‌ଚରିଂ କ୍ଷେତ୍ରକୁ ଆସିଛି। ସେବା କ୍ଷେତ୍ରକୁ ଆସୁଥିବା ପ୍ରସ୍ତାବ ପରିମାଣ 51%ରୁ ହ୍ରାସ ପାଇ 39%ରେ ପହଞ୍ଚିଛି।

Spread the love