ମାଟ୍ରିକ୍‌ ପରୀକ୍ଷାରେ ସଂସ୍କାର : ନୂଆ ଶିକ୍ଷାବର୍ଷରୁ ନୂଆ ଢାଞ୍ଚା

2020ରେ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍‌ ପରୀକ୍ଷା। ଓଏମ୍‌ଆର୍‌ ସିଟ୍‌ ତଥା ମଲ୍ଟିପୁଲ ଚଏସ୍‌ର ପ୍ରଶ୍ନୋତ୍ତର ବ୍ୟବସ୍ଥା ଉଠିଯିବ। ଏହା ବଦଳରେ ପ୍ରଶ୍ନପତ୍ରରେ 50 ମାର୍କର ଅବ୍‌ଜେକ୍‌ଟିଭ୍‌ ଓ 50 ମାର୍କ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନ ଆସିବ। ଗତ ମାଟ୍ରିକ୍‌ ପରୀକ୍ଷାରେ କେତେକ ସଂସ୍କାର କରାଯାଇଛି। 4 ସେଟ୍‌ ପ୍ରଶ୍ନପତ୍ର ସହ ପା‌ସ୍‌ କରିବା ପାଇଁ ଥିବା ମାର୍କ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି। 2019-20 ଶିକ୍ଷାବର୍ଷରେ ଆଉ କିଛି ସଂସ୍କାର ଆଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। 

ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ସାମାନ୍ୟ ପରିବର୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ବିଜ୍ଞାନ, ଇଂରାଜୀ, ଓଡ଼ିଆ ପରି ବିଷୟରେ ଗୋଟିଏ ଦୁଇଟି ଚାପ୍ଟର ଏପାଖ ସେପାଖ କରାଯାଇପାରେ। କେତେକ ଚାପ୍ଟରକୁ ପାଠ୍ୟକ୍ରମରୁ ବାହାର କରାଯିବାକୁ ଥିବା ବେଳେ କିଛି ନୂଆ ଚାପ୍ଟରକୁ ସଂଯୋଗ କରାଯିବ। 2020 ମାଟ୍ରିକ୍‌ ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନପତ୍ର ଢାଞ୍ଚାରେ ଅଭ୍ୟାସ ପାଇଁ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନ କରାଯାଇଛି। ଛାତ୍ରଛାତ୍ରୀ ତାହାକୁ ପ୍ରାକ୍ଟିସ୍‌ କରିବେ। ଶିକ୍ଷକମାନେ ମଧ୍ୟ ନୂଆ ଢାଞ୍ଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କ୍ଲାସ୍‌ରେ ପଢ଼ାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। 

ନୂଆ ଢ଼ାଞ୍ଚା ଅନୁଯାୟୀ ଓଏମ୍‌ଆର୍‌ ସିଟ୍‌ ବଦଳରେ ଏକ/ଦୁଇ ମାର୍କ ବିଶିଷ୍ଟ ବିଭିନ୍ନ ପ୍ରଶ୍ନ ରହିବ। ଛାତ୍ରଛାତ୍ରୀ ତାହାର ଉତ୍ତର ଲେଖିବେ। ଯେପରିକି ‘ଗୋଟିଏ ଶବ୍ଦ ବା ବାକ୍ୟରେ ଅର୍ଥ ଲେଖ’, ‘ଶୂନ୍ୟସ୍ଥାନ ପୂରଣ କର’, ‘‌ଗୋଟିଏ ବାକ୍ୟରେ ଉତ୍ତର ଲେଖ’, ‘ଠିକ୍‌ ଓ ଭୁଲ୍‌ ବାଛିବା’, ‘କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ଯୋଗ’, ‘ଏକ ପଦରେ ଅର୍ଥ ପ୍ରକାଶ’, ‘ଶୂନ୍ୟ ସ୍ଥାନ ପୂରଣ’ ପରି ପ୍ରଶ୍ନଗୁଡ଼ିକ ଆସିବ। 2020ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଚଳିତବର୍ଷ ୯ମ ଶ୍ରେଣୀ ପରୀକ୍ଷାରେ ନୂଆ ଢାଞ୍ଚାକୁ ଲାଗୁ କରାଯାଇଛି।

ଏବେ ଏବେ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ନୂଆ ଢାଞ୍ଚାରେ ହିଁ ପରୀକ୍ଷା ଦେଉଛନ୍ତି। 4ଟି ସେଟ୍‌ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ରର ସା‌ମ୍ପଲ୍‌କୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍‌ରେ ଛଡ଼ାଯାଇଛି। ସେଠାରୁ ପରୀକ୍ଷାର୍ଥୀମାନେ ଅଭ୍ୟାସ କରିପାରିବେ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍‌ କହିଛନ୍ତି ଯେ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆରଟି) ପକ୍ଷରୁ ପ୍ରସ୍ତୁତ ହେଉଥିବା ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ୱାର୍କ ନ ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ବହି ବଦଳିପାରିବ ନାହିଁ। 2012ରେ ଶେଷଥର ପାଇଁ ଦଶମ ଶ୍ରେଣୀରେ ବହି ବଦଳିଥିଲା। ଇତି ମଧ୍ୟରେ 7 ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ବହି ବଦଳିନି।

ଏନ୍‌ସିଇଆରଟି ନୂଆ ବହି କରିବା ପରେ ତାହାକୁ ଓଡ଼ିଶାରେ ଲାଗୁ କରାଯିବ। ସମ୍ପୂର୍ଣ୍ଣ ବହି ବଦଳିବାକୁ ଆହୁରି 2 ରୁ 3 ବର୍ଷ ସମୟ ଲାଗିବ। ତେଣୁ ଆମେ କେତେକ ବିଷୟର ଚାପ୍ଟରରେ କିଛିଟା ପରିବର୍ତନ କରିବାକୁ ଗତବର୍ଷ ନିଷ୍ପତ୍ତି ନେଇଥିଲୁ। ଏବେ 9ମ ଶ୍ରେଣୀ ଛାତ୍ରଛାତ୍ରୀ ନୂଆ ଢାଞ୍ଚାରେ ପରୀକ୍ଷା ଦେଉଛନ୍ତି। 4ଟି ସେଟ୍‌ର ପ୍ରଶ୍ନପତ୍ର କରାଯାଇଛି। ସବୁ ସେଟ୍‌ରେ ଅଲଗା ଅଲଗା ପ୍ରଶ୍ନ ରହିଛି। ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷରେ ନୂଆ ଢାଞ୍ଚା ଲାଗୁ ହେବ।

Spread the love