ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ହେଲପ୍ ଲାଇନ୍ ପୋର୍ଟାଲ ଆରମ୍ଭ

ଭୁବନେଶ୍ୱର, ୨୮/୦୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଛି। ଇତିମଧ୍ୟରେ  ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଲାଗି  ବାହାର ରାଜ୍ୟକୁ ଯାଇଥିବା ବେଳେ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗୁଜରାଟରେ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଅନ୍ ଲାଇନ୍ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ୍ ଅଧିକାରୀମାନେ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ନିୟୋଜିତ ରହିଛନ୍ତି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଆଇଏଏସ୍ ଅଧିକାରୀ ଅସିତ ତ୍ରିପାଠୀ କହିଛନ୍ତି ଓଡ଼ିଶାର ବହୁ ଶ୍ରମିକ ବିଭିନ୍ନ କାମଧନ୍ଦା ପାଇଁ ଭାରତର ବିଭିନ୍ନ ରାଜ୍ୟକୁ ଯାଇଥିଲେ । ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ ଡାଉନରେ ସେମାନେ ଅଟକି ରହିଛନ୍ତି। ରାଜ୍ୟର ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ନୋଡାଲ ଅଧିକାରୀମାନେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ସେମାନଙ୍କ ପାଖରେ ଆବଶ୍ୟକ ରିଲିଫ୍ ସହାୟତା ପଠାଇବା କାର୍ଯ୍ୟ ଜାରି ରହିଛି ।

ସେହିପରି ଓଡ଼ିଶା ସରକାରଙ୍କ ଗୃହ ବିଭାଗ ମୁଖ୍ୟ ସଚିବ ଆଇଏଏସ୍ ସଞ୍ଜିବ୍ ଚୋପ୍ରା କହିଛନ୍ତି, ଲକ୍ ଡାଉନ୍ ଯୋଗୁ ଓଡ଼ିଶାର ବହୁ ଶ୍ରମିକ  ପ୍ରଭାବିତ ହୋଇଛନ୍ତି । ଆମର ୨୪ ଘଂଟିଆ ହେଲପ୍ ଲାଇନ୍ ଏବଂ ପୋର୍ଟାଲ ଦ୍ୱାରା ସେମାନଙ୍କ ପାଖରେ ନିରନ୍ତର ରିଲିଫ୍ ସହାୟତା ମାର୍ଚ୍ଚ ୨୬ଠାରୁ ଯୋଗାଣ ଜାରି ରହିଛି । ସେମାନଙ୍କ ପ୍ରତିଟି କଲ୍ ଗ୍ରହଣ କରାଯିବା ସହିତ ଆବଶ୍ୟକ ସୂଚନା ସେମାନଙ୍କୁ ପ୍ରଦାନ କରାଯାଉଛି । ସେମାନଙ୍କୁ ହେଲପ୍ ଲାଇନ୍ ପକ୍ଷରୁ ମଧ୍ୟ କଲ୍ କରାଯାଉଛି । ରାଜ୍ୟ ସରକାରଙ୍କ ହେଲପ୍ ଲାଇନ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରୁଛି । ଏହାଦ୍ୱାରା ସେମାନଙ୍କର ସଙ୍କଟ ଲାଘବ ହୋଇପାରିଛି।

ରାଜ୍ୟ ସରକାର ଇଜି-୫ ଗ୍ରୁପ୍ ଦ୍ୱାରା ଶ୍ରମିକଙ୍କ ପାଖରେ ଆବଶ୍ୟକ ଖାଦ୍ୟ ଏବଂ ପରିବହନ ବ୍ୟବସ୍ଥା ପହଂଚାଇବା ଜାରି ରଖିଛନ୍ତି। ଭାରତ ସରକାର ଓଡ଼ିଶା ରାଜ୍ୟ ସରକାରଙ୍କ ଏଭଳି ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି ।

Spread the love