ଶ୍ରୀଲଙ୍କାକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କା: ଘୋର ଆର୍ଥିକ ସଙ୍କଟ ଭିତରେ ଗତି କରୁଛି ଶ୍ରୀଲଙ୍କା।ଏଣେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମାନେ ହିଂସାକାଣ୍ଡ ଘଟାଉଥିବା ଦେଖିବାକୁ ମିଳୁଛି। ନିତ୍ୟବ୍ୟବହାର ଦ୍ରବ୍ୟର ଦାମ୍‌ ଆକାଶ ଛୁଆଁ ହୋଇଥିବା ବେଳେ ଖାଦ୍ୟ ସଙ୍କଟ ଶ୍ରୀଲଙ୍କାବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ଭିତରେ ଶ୍ରୀଲଙ୍କାକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଇସ୍ତଫା ଦେବାକୁ ସିଧାସିଧା ମନା କରିଦେଇଛନ୍ତି । ସାମ୍ବିଧାନିକ ସଂସ୍କାର ଆଣିବା ପାଇଁ ସେ ଏହି ସପ୍ତାହରେ ଏକ ନୂତନ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ନିଯୁକ୍ତ କରିବେ ବୋଲି ସେ କହିଛନ୍ତି ।ତାହା ଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ଆର୍ଥିକ ସଙ୍କଟ ଯୋଗୁ ସରକାରଙ୍କ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଛି । ସରକାର ଗାଦି ଛାଡ଼ିବାକୁ କହୁଛନ୍ତି ବିକ୍ଷୋଭକାରୀ । ଆର୍ଥିକ ସଙ୍କଟକୁ ମୁକାବିଲା କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଶ୍ରୀଲଙ୍କା ରାଜଧାନୀକୁ ସୁରକ୍ଷା ଦେବାକୁ ସୈନ୍ୟବାହିନୀ ନିୟୋଜିତ କରାଯାଇଛି । ଏଥି ସହିତ ଗୋଟାବାୟା ଆହୁରି କହିଛନ୍ତି, ମୁଁ ଖୁବଶୀଘ୍ର ଏକ ଯୁବ କ୍ୟାବିନେଟ ନିଯୁକ୍ତ କରିବି । ଯେଉଁଥିରେ ରାଜପକ୍ସା ପରିବାରର କୌଣସି ସଦସ୍ୟ ରହିବେ ନାହିଁ । ନୂତନ ସରକାରର ପ୍ରଧାନମନ୍ତ୍ରୀଙ୍କୁ ଏକ ନୂତନ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଏବଂ ଦେଶକୁ ଆଗକୁ ନେବା ପାଇଁ ସୁଯୋଗ ଦିଆଯିବ। ନୂତନ ପ୍ରଧାନମନ୍ତ୍ରୀ ଏବଂ ସରକାର ନିଯୁକ୍ତ ହେବା ପରେ ସମ୍ବିଧାନରେ ସଂଶୋଧନ କରାଯିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା କହିଛନ୍ତି ।

Spread the love