ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

ସମ୍ବଲପୁରରୁ କୋଲକାତା ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରିଥିଲେ। ତାଳଚେର ରୋଡ଼, MCLର ବଳରାମ ସାଇଟ୍‌, ତାଳଚେର, ସୁନାଖଣି, ବୁଢାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ଼ ଓ ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବଅଁରପାଳ ବ୍ଲକର ବ୍ରିଜ ନମ୍ବର ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅ଼ଚଳରେ ନିର୍ମାଣଧୀନ ରେଲ୍‌ ଲିଙ୍କର୍‌ କାର୍ଯ୍ୟ ଦେଖିଥିଲେ।

ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଅନୁଗୋଳ ଓ ଢେଙ୍କାନାଳ ଅଞ୍ଚଳରେ ପ୍ରାୟ ୨ହଜାର ୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି। ତାଳଚେର, ତାଳଚେର ରୋଡ଼, ଅନୁଗୋଳ, ଓ ଢେଙ୍କାନାଳ ଏହି ୪ଟି ଷ୍ଟେସନର ପୁନଃରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନ୍‌ର ଦୋହରୀକରଣ, ତୃତୀୟ ଲାଇନ୍‌ ଓ ଚତୁର୍ଥ ଲାଇନକ କାମ ଶେଷ ହେବ।

ଖୁବ୍‌ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ୨ଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା FCI ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନ୍‌ର କାମ ଆସନ୍ତା ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ। ରେଳ ଷ୍ଟେସନରେ ସମୀକ୍ଷା କରିବା ସହ ବିଭିନ୍ନ ରେଳ ପ୍ରକଳ୍ପ, ତାଳଚେର ଅନୁଗୁଳ ଲୁପ ଲାଇନ୍‌ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ତାଳେଚେର-ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ରେଳ ଧାରଣା ଉନ୍ନତିକରଣ କାମ ଚାଲିଥିବାବେଳେ ଏହି ଅଞ୍ଚଳର ୪ଟି ଷ୍ଟେସନର ପୁନଃରୁଦ୍ଧାର ମଧ୍ୟ ଚାଲୁ ରହିଛି। ଶେଷରେ ତାଳଚେର ଷ୍ଟେସନ ଓ ସୁନାଖଣି ରେଳ ଷ୍ଟେସନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।

Spread the love