ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ନିଜର ଶୁଭେଚ୍ଛୁ ଓ ଦଳୀୟ ସମର୍ଥକମାନଙ୍କୁ ନବୀନ ନିବାସ ନଆସିବା ପାଇଁ ଅନୁରୋଧ କରିଛନ୍ତି। ସୋନିଙ୍କ ମୃତ୍ୟୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେବାପରେ ସୋନିଙ୍କ ପବ୍ଲିକେସନ ସଂସ୍ଥା ‘ଆଲଫ୍ରେଡ୍ ଏ କ୍ନୋଫ’ ମଧ୍ୟ ଆନୁଷ୍ଠାନିକ ଭାବେ ସୂଚନା ଦେଇଛି । ନିଜର ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ବିଶ୍ୱବ୍ୟାପୀ ଥିବା ଅଗଣିତ ପାଠକମାନେ ନିଜର ପ୍ରିୟ ସୋନି ମେହେଟ୍ଟାଙ୍କୁ ସର୍ବଦା ମନେପକାଇବେ ବୋଲି କହିଛନ୍ତି। ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରି ତାଙ୍କ ପତ୍ନୀ ଗୀତା ମେହେଟ୍ଟା ଓ ପରିବାର ସଦସ୍ୟଙ୍କ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମବେଦନା ଜଣାଇଛନ୍ତି। ସୁଚନାଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟାଙ୍କ ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନିଙ୍କର ୧୯୯୯ ମସିହାରେ ତିନିଟି ବାଇପାସ୍ ସର୍ଜରୀ ହୋଇଥିଲା। ନ୍ୟୁୟର୍କର ପ୍ରତିଷ୍ଠିତ ପବ୍ଲିକେସନ୍ ଗ୍ରୁଫ୍ ‘ଆଲଫ୍ରେଡ୍ ଏ କ୍ନୋଫ’ର ମୁଖ୍ୟ ସମ୍ପାଦକ ତଥା କ୍ନୋଫ ଡବଲଡେ’ର ଅଧ୍ୟକ୍ଷ ଭାବେ ସୋନି ମେହେଟ୍ଟା କାର୍ଯ୍ୟ କରୁଥିଲେ। ସୋନିଙ୍କ ନେତୃତ୍ୱରେ ତାଙ୍କ ପବ୍ଲିକେସନ୍ ହାଉସରେ ପ୍ରକାଶିତ ପୁସ୍ତକ ମଧ୍ୟରୁ ୬ଟି ନୋବେଲ୍ ପୁରସ୍କାର ସମେତ ବହୁ ଆନ୍ତର୍ଜାତିକ ପୁରସ୍କାର ପାଇବାରେ ସମ୍ଭବପର ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଭିଣୋଇ ସୋନିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।

Spread the love