ଲଗାତାର PIL କରୁଥିବା NGOଙ୍କୁ ସୁପ୍ରିମକୋର୍ଟ କହିଲେ ‘ଅବମାନନାର ଦୋଷୀ’, ସମ୍ପତ୍ତିରୁ ଜରିମନା ବାବଦ ରାଶି ଆଦାୟ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ ୨୯।୯: ଲଗାତାର ଆଧାରହୀନ ଜନସ୍ୱାର୍ଥ ମୋକଦ୍ଦମା (ପିଆଇଏଲ) ରୁଜୁ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ (ଏନଜିଓ)ଙ୍କୁ ସୁପ୍ରିମକୋର୍ଟ ବୁଧବାର ‘ଅବମାନନାର ଦୋଷୀ’ ବୋଲି କହିଛନ୍ତି। ଏନଜିଓ ସୁରାଜ ଇଣ୍ଡିଆ ଟ୍ରଷ୍ଟ ଓ ଏହାର ଅଧ୍ୟକ୍ଷ ରାଜୀବ ଦହିଆଙ୍କୁ ୨୦୧୭ ମସିହାରେ କୋର୍ଟ ୨୫ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ସମୟ ନଷ୍ଟ ଲାଗି ସଂସ୍ଥା ଓ ଅଧ୍ୟକ୍ଷଙ୍କୁ ଏହି ଜରିମନା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦହିଆ ଅଥବା ତାଙ୍କ ଏନଜିଓ ଏପର୍ଯ୍ୟନ୍ତ ପୈଠ କରିନାହାନ୍ତି।

ଦହିୟା ଓ ତାଙ୍କ ଏନଜିଓ ସୁପ୍ରିମକୋର୍ଟଙ୍କ ଜରିମନା ନିର୍ଦ୍ଦେଶ ପାଳନ କରିବା ବଦଳେ ପୃଥକ ପୃଥକ ଆବେଦନ ଦାଖଲ କରି ଅଦାଲତଙ୍କ ଉପରେ ଅଭିଯୋଗ ଆଣୁଛନ୍ତି। ଏଣୁ କୋର୍ଟ ଦହିୟାଙ୍କ ସମ୍ପତ୍ତି ଓ ଏନଜିଓରୁ ଜରିମନା ଆଦାୟ ଲାଗି ବୁଧବାର ଆଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୧ ମେ ୨୦୧୭ ମସିହାରେ ସୁପ୍ରିମକୋର୍ଟଙ୍କ ତତ୍କାଳୀନ ପ୍ରଧାନ ନ୍ୟାୟାଧୀଶ ଜେ.ଏସ୍.ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ସଦସୀୟ ପୀଠ ସୂରାଜ ଇଣ୍ଡିଆ ଓ ଏହାର ସଞ୍ଚାଳକଙ୍କୁ ଲଗାତାର ପିଆଇଏଲ ଆବେଦନ କରୁଥିବାରୁ ୨୫ଲକ୍ଷ ଟଙ୍କା ଜରିମାନା ଆଦେଶ କରିଥିଲେ।

ଏନଜିଓ ସୁରାଜ ଇଣ୍ଡିଆ ଓ ଏହାର ଅଧ୍ୟକ୍ଷ ରାଜୀବ ଦହିଆ ୧୦ ବର୍ଷରେ ସୁପ୍ରିମକୋର୍ଟଙ୍କ ସମେତ ପୃଥକ ପୃଥକ ହାଇକୋର୍ଟରେ ୬୪ଟି ପିଆଇଏଲ ଦାଖଲ କରିଥିଲେ। ଏଥିରୁ ଅଧିକାଂଶ ଅସଫଳ ହୋଇଥିବା ବେଳେ ଅନେକ ମାମଲାରେ ସେ ନିଜେ କୋର୍ଟରେ ହାଜର ହେଉ ନଥିଲେ। ଏଣୁ ସମୟ ନଷ୍ଟ କରୁଥିବାରୁ ସୁପ୍ରିମକୋର୍ଟ ଏନଜିଓ ଏବଂ ଅଧ୍ୟକ୍ଷଙ୍କୁ ଜରିମନା ଆଦେଶ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଜରିମନା ନିର୍ଦ୍ଦେଶକୁ ଇତିମଧ୍ୟରେ ୪ ବର୍ଷରୁ ଅଧିକ ସମୟ ହୋଇଗଲାଣି। ହେଲେ ଦହିଆ ଅଥବା ତାଙ୍କ ଏନଜିଓ ଜରିମାନା ପୈଠ କରୁନାହାନ୍ତି। ଅନ୍ୟପକ୍ଷରେ ଅନେକବାର ଆବେଦନ କରିବା ସହ ଦଣ୍ଡକ୍ଷମା ନିବେଦନ ମଧ୍ୟ କରୁଛନ୍ତି। ତେବେ ଏହି ସବୁ ଆବେଦନରେ ସେ କୋର୍ଟଙ୍କ ଜଜ୍‌ ଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏଣୁ କୋର୍ଟ ଦହିଆଙ୍କୁ ଅବମାନନା ନୋଟିସ୍ ଜାରି କରିଥିଲେ।

ବୁଧବାର ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ୍ ଏମ.ଏସ୍.ସୁନ୍ଦରେଶଙ୍କ ପୀଠ ଦହିଆଙ୍କ ମାମଲାର ଶୁଣାଣି କରିଥିଲେ। ଦହିଆଙ୍କ ପକ୍ଷରୁ ଦିଆଯାଇଥିବା କ୍ଷମାଯାଚନା ସନ୍ତୋଷଜନକ ନୁହେଁ ବୋଲି ବେଞ୍ଚ କହିଥିଲେ। ଅବମାନନାର ଏହି କୋର୍ଟ ଆଦେଶକୁ କୌଣସି ସରକାରୀ ଆଦେଶରେ ନିଷ୍କ୍ରିୟ କରାଯାଇପାରିବନି ବୋଲି ଜଜ୍‌ ମାନେ କହିଥିଲେ। ଅବମାନନାର ଦୋଷୀ ଅର୍ଥାତ ଦହିଆ ଉପରକୁ କାଦୁଆ ଫୋପାଡି ସମସ୍ତଙ୍କୁ ଡରାଇବାକୁ ଚାହୁଁଛନ୍ତି, ହେଲେ କୋର୍ଟ ପଛକୁ ହଟିବେ ନାହିଁ ବୋଲି ବେଞ୍ଚ ସ୍ପଷ୍ଟ କରିଦେଇଛନ୍ତି। ତେବେ ଆଜି ଆମେ ଦଣ୍ଡ ଘୋଷଣା କରୁ ନାହୁଁ, ଜରିମନା ବାବଦ ରାଶି ଦହିଆଙ୍କ ସମ୍ପତ୍ତି ଓ ତାଙ୍କ ଏନଜିଓରୁ ଅସୁଲ ଲାଗି ଆଦେଶ ଦେଉଛୁ ବୋଲି ବେଞ୍ଚ କହିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୭ରେ ହେବ।

Spread the love