ଓଡିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ, ରାତି ୧୦ଟାରୁ ଭୋର୍‌ ୫ଟା ସବୁ ବନ୍ଦ

ଭୁବନେଶ୍ବରେ ୩୦/୧୨ : ରାଜ୍ୟକୁ ଫେରିଲା ନାଇଟ୍‌ କର୍ଫ୍ୟୁ । ଓମିକ୍ରନ୍‌ର ଭୟାବହତା ଏବଂ ନୂଆ ବର୍ଷ ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପୁଣି ଫେରିଛି ନାଇଟ୍‌ କର୍ଫ୍ୟୁ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ୍‌ କର୍ଫ୍ୟୁ ।

ଜାନୁଆରୀ ୧ ତାରିଖ ନୂଆ ବର୍ଷରୁ ହିଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ । ଏହି ନିୟମ ମାସେ ପାଇଁ ଅର୍ଥାତ ୨୦୨୨ ଜାନୁଆରୀ ୧ ତାରିଖରୁ ୨୦୨୨ ଫେବୃଆରୀ ୧ ତାରିଖ ଯାଏଁ ଲାଗୁରହିବ । ଭୋର ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।

ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଜାନୁଆରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ୧୦୦ ଜଣଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ । ଏହି ସମୟରେ କୋଭିଡ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ବାଣିଜ୍ୟ ମେଳା, ପ୍ରଦର୍ଶନୀ, ମେଳା ବନ୍ଦ ରହିବ । କିନ୍ତୁ ଜିଲ୍ଲା ପ୍ରଶାସନ ଚାହିଁଲେ ଅନୁମତି ଦେଇପାରିବେ ।

ରାଜ୍ୟରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୫ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ । ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ୍‌ ଭୟାନକ ଭାବେ ବୃଦ୍ଧି ପାଉଥିବା ବେଳେ ଓଡିଶାରେ ମଧ୍ୟ ବୃଦ୍ଧି ପାଇଲାଣି । ଏହାକୁ ଦୃଷ୍ଟିରେ ରଖି ଏବଂ ଆଗକୁ ନୂଆ ବର୍ଷ ଆସୁଥିବାରୁ ଭିଡ ଆଶଙ୍କା କରି ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି । ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା​‌ ଥିବାରୁ ରାତି ୧୦ଟାରୁ ଭୋର ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁକରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Spread the love